ଲୋଇସିଂହା, (ବିମଳେନ୍ଦୁ ସାହୁ) : କୌଣସି ପରିସ୍ଥିତିରେ ଖଣି ଖାଦାନ ପାଇଁ ଜମି ଦିଆଯିବ ନାହିଁ । ପୁରୁଷାନୁକ୍ରମେ ଆଦିବାସୀ ତଥା ପାରମ୍ପରିକ ବନବାସୀ ସୁରକ୍ଷା ଦେଇ ଆସୁଥିବା ତଥା ଚାଷବାସ କରୁଥିବା ଜଙ୍ଗଲ ଜମିକୁ ଖଣି କମ୍ପାନୀ ଗୁଡ଼ିକ ହାତରେ ଟେକି ଦେବା ପାଇଁ ସରକାର ମସୁଧା କରିଛନ୍ତି । ନିଜ ଭିଟାମାଟିକୁ ସୁରକ୍ଷା ଦେବା ସହିତ ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ଲୋଇସିଂହା ବ୍ଲକ ରତାଖଣ୍ଡି ଠାରେ ଆୟୋଜିତ ବିଶାଳ ସମାବେଶରେ ଉପରୋକ୍ତ ମତ ପ୍ରକାଶ ପାଇଛି । “ଲୋଇସିଂହା ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ” ର ସଭାପତି ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁ ଯୋଗଦେଇ ଭିଟାମାଟିର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ଅଞ୍ଚଳରେ ଦେଖା ଦେଇଥିବା ଖଣିବ୍ଲକ ଗୁଡ଼ିକ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ତଥା ପ୍ରତିକାର ସକାଶେ ସରକାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣି ଖନନକୁ ଉପସ୍ଥିତ ଲୋକେ ତୀବ୍ର ବିରୋଧ କରିବା ସହିତ ସରକାରଙ୍କୁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଦେବା ପାଇଁ ବୈଠକରେ ସହମତି ପ୍ରକାଶ କରିଥିଲେ । ଖଣି ଖନନ ସମ୍ବନ୍ଧୀୟ କୌଣସି ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇ ନ ଥିବାରୁ ପ୍ରଥମେ ଗାଁ ଗୁଡିକରେ ପଲ୍ଲୀସଭା/ଗ୍ରାମସଭା କରି ଲୋକଙ୍କୁ ଅବଗତ କରାଯିବା ସହିତ ଗ୍ରାମସଭାର ବିନା ଅନୁମୋଦନରେ ଖଣି ଖନନ ଅନୁମତିକୁ ତୀବ୍ର ବିରୋଧ କରାଯାଇଥିଲା । ସ୍ଥାନୀୟ ଲୋକେ ଦୀର୍ଘ ୩୦/୪୦ ବର୍ଷ ଧରି ଜଙ୍ଗଲ ସୁରକ୍ଷା କରୁଥିବାରୁ କୌଣସି ବି ଜଙ୍ଗଲକୁ ଖଣି ଖନନ ନାମରେ ନଷ୍ଟ କରିବାକୁ ଦିଆଯିବ ନାହିଁ । ଜିଲ୍ଲାରେ ଖରାଦିନେ ତାପମାତ୍ରା ୪୫ ରୁ ୫୦ ଡିଗ୍ରୀ ରହୁଥିବା ପରିପ୍ରେକ୍ଷୀରେ ଜଙ୍ଗଲ, ଝରଣା, ନଦୀ, ନାଳକୁ ଧ୍ଵଂସ କରି ଖଣି ଖନନ ପ୍ରସ୍ତାବରୁ ସରକାର ଦୂରେଇ ରହିବାକୁ ବୈଠକରେ ମତପ୍ରକାଶ କରିଥିଲେ । ଏଥିସହିତ ପରିବେଶ ପ୍ରଭାବ ଜନଶୁଣାଣୀ ଏବଂ ପରିବେଶ ଅନୁମତି ପୂର୍ବରୁ ଖଣି ଖନନ ପାଇଁ ଲାଇସେନ୍ସକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ଆଦିବାସୀ ଏବଂ ବନବାସୀମାନଙ୍କ ଜଙ୍ଗଲ ଅଧିକାରକୁ ପ୍ରଥମେ ସ୍ଵୀକୃତି ଦେବାକୁ ଦାବି କରିଥିଲେ । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ଵୀକୃତି ଦିଆଯାଇ ନାହିଁ, ପ୍ରଥମେ ତାହା ସୁନିଶ୍ଚିତ କରାଯିବା ପାଇଁ ଦାବି ହୋଇଥିଲା । ଏହି ମର୍ମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ବଲାଙ୍ଗିର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଆଦିବାସୀ ଉନ୍ନୟନ ବିଭାଗ ସଚିବ, ଖଣି ଓ ଇସ୍ପାତ ସଚିବ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଖଣିମନ୍ତ୍ରୀ, କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବ, କେନ୍ଦ୍ର ଖଣି ସଚିବଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମାବେଶରେ ଆଦିବାସୀ ନେତା ଗିରି ରାଜ୍ ଭୋଇ, ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ, ବିମଳେନ୍ଦୁ ସାହୁ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟା, ରତାଖଣ୍ଡି ସରପଞ୍ଚ ହିମାଞ୍ଚଲ ମେହେର, ସରଗାଡ ସରପଞ୍ଚ ସରୋଜ ବେହେରା, ସମିତି ସଭ୍ୟ ବିରେନ୍ଦ୍ର ସାହୁ, ଉପରବାହାଲ ସରପଂଚ ପ୍ରତିନିଧି ଶର୍ମା ସାହୁ, ଭକ୍ତ ବରିହା, ଶେଷଦେବ ଖମାରୀ, ସୁରେନ୍ଦ୍ର ଭୋଇ, ସତ୍ୟ ବନଛୋର, ଗୁଣନିଧି ବରିହା, ଖେଲରାଜ୍ ବରିହା, ମିଶ୍ର ବରିହା, ବିଦ୍ୟାସାଗର ନାଏକ, ପ୍ରମୋଦ ଭୋଇ, ବସନ୍ତ ବରିହା, ବିକ୍ରମ ବରିହା, ବିନାୟକ ଭୋଇ, ଭୀଷ୍ମ ବରିହା, କଏଁରୁ ବରିହା, ଗୋପୀନାଥ ଛତ୍ରିଆ, ଅନନ୍ତ କଲେତ, ଯୋଗିନ୍ଦ୍ର ମେହେର, ଦିଲୀପ ବରିହା, ରମେଶ ପଧାନ, ଝସକେତନ ରାଏ, ବିଜୟ ସୁନା, ମୋତିରାମ ବରିହା, ପ୍ରେମରାଜ ବରିହାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ତଥା ଲୋଏର୍ ସୁକତେଲ ପ୍ରଭାବିତ ଅଞ୍ଚଳର ଅଧିବାସୀ ଯୋଗଦେଇ ନିଜସ୍ଵ ମତାମତ ଉପସ୍ଥାପନ କରିଥିଲେ । କୈଳାସ ବରିହା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଶେଷରେ ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାରୀ କମିଟି ସମୂହର ସମ୍ପାଦକ ଚୈତନ୍ୟ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।