ଲୋଇସିଂହା ବ୍ଲକରେ ମନରେଗା ଦିଗହରା କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦାଦନ ରୋକିବାକୁ ଗରିବ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର “ମନରେଗା” ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନା ଲୋଇସିଂହା ବ୍ଲକରେ କ୍ରମଶଃ ଦିଗହରା ହେବାରେ ଲାଗିଛି । ମନରେଗାରେ ହରିଲୁଟ କରିବାରେ ମାହିର ଥିବା କିଛି କର୍ମଚାରୀଙ୍କ ସହାୟତାରେ ଲୋଇସିଂହା ବ୍ଲକରେ ଏହି ଯୋଜନାର ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ମନରେଗା ସାଇଟର ତଥ୍ୟ ମୁତାବକ, ଗତ ୨୫ ତାରିଖ ବୁଧବାର ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ବୁଢୀପଦର, କୁଶମେଲ, ରତାଖଣ୍ଡି, ତାଲିଉଡାର ଓ ଉପରବାହାଲ ପଞ୍ଚାୟତର ମୋଟ ୬ଟି ପ୍ରକଳ୍ପରେ ୧୮୭ ଜଣ ଶ୍ରମିକ କାମ କରିଛନ୍ତି । ତେବେ ଉପରବାହାଲ ପଞ୍ଚାୟତର ଜାମଜୁରି ଗ୍ରାମ୍ୟ ଡଙ୍ଗରର ଷ୍ଟ୍ରଗେଡ ଟ୍ରେଞ୍ଚ କାମରେ ୪ଟି ମଷ୍ଟରରୋଲରେ ସେହିଦିନ ୩୨ ଜଣ ଶ୍ରମିକ କାମ କରିଥିବା ତଥ୍ୟ ରହୁଛି । ଏହି ସାଇଟର ଏନଏମଏମଏସ ତଥ୍ୟ ମୁତାବକ ଉପରୋକ୍ତ ୪ଟି ଯାକ ମଷ୍ଟର ରୋଲରେ ଭିନ୍ନ ଶ୍ରମିକଙ୍କ ଉପସ୍ଥାନ ଦର୍ଶାଯାଇଥିବା ବେଳେ ୯ ଜଣିଆ ଏକ ଗୋଷ୍ଠୀ ଶ୍ରମିକଙ୍କ ଫଟୋ ଅପଲୋଡ ହୋଇଛି, ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଶ୍ରମିକଙ୍କ ଉପସ୍ଥାନ ପକାଇ ଦୈନିକ ମଜୁରୀ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି । ଏହି ପ୍ରକଳ୍ପର ମଷ୍ଟରରୋଲ ନଂ- ୧୦୯୯୦ ରେ ଜଣେ ମହିଳା ଏବଂ ୮ ଜଣ ପୁରୁଷଙ୍କୁ ମିଶାଇ ମୋଟ ୯ ଜଣ ଶ୍ରମିକ କାମ କରିଥିବା ଦର୍ଶାଯାଇଛି ଏବଂ ସେମାନଙ୍କ ଫଟୋ ମଧ୍ୟ ଉକ୍ତ ଏନଏମଏମଏସ ଆପରେ ଅପଲୋଡ କରାଯାଇଛି । ସେହିପରି ମାଷ୍ଟରରୋଲ ନଂ – ୧୦୯୯୧ ରେ ଜଣେ ମହିଳାଙ୍କ ସମେତ ୬ ଜଣ ଶ୍ରମିକ, ମଷ୍ଟରରୋଲ ନଂ – ୧୦୯୯୨ ରେ କେବଳ ୮ ଜଣ ପୁରୁଷ ଶ୍ରମିକ ଏବଂ ମଷ୍ଟରରୋଲ ନଂ- ୧୦୯୯୩ ରେ ଜଣେ ମହିଳାଙ୍କ ସମେତ ୯ ଜଣ ଶ୍ରମିକ କାମ କରିଛନ୍ତି । ୪ଟି ଯାକ ମଷ୍ଟରରୋଲରେ ଭିନ୍ନ ଭିନ୍ନ ଶ୍ରମିକଙ୍କ ନାମ ରହିଥିବା ବେଳେ ଏକାପ୍ରକାର ଫଟୋ ଅପଲୋଡ ହୋଇଛି । ସକାଳ ବେଳା ଫଟୋ ଅପଲୋଡ ହୋଇଥିବା ବେଳେ ଅପରାହ୍ନ ସମୟର ଫଟୋ ଅପଲୋଡ ନାହିଁ । ମଷ୍ଟର ରୋଲ ନଂ- ୧୦୯୯୨ କୁ ଅନୁଧ୍ୟାନ କଲେ କେବଳ ୮ ଜଣ ପୁରୁଷ ଶ୍ରମିକ କାମ କରିଥିବା ବେଳେ ଏଠାରେ ଜଣେ ମହିଳାଙ୍କ ସମେତ ୯ ଜଣିଆ ଶ୍ରମିକଙ୍କ ଫଟୋ ରହିଛି । ସେହିପରି ମଷ୍ଟର ରୋଲ୍ ନଂ- ୧୯୦୯୧ ରେ ୬ ଜଣ ଶ୍ରମିକ କାମ କରିଥିବାବେଳେ ୯ ଜଣିଆ ଶ୍ରମିକଙ୍କ ଫଟୋ ଅପଲୋଡ ହୋଇଥିବାରୁ କାମର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜାଲ ମଷ୍ଟରରୋଲ୍ ପ୍ରସ୍ତୁତ କରି କିଛି ଶ୍ରମିକଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ମନରେଗା ପ୍ରାପ୍ୟ ପ୍ରଦାନ କରାଯାଉ ଥିବାବେଳେ ପରବର୍ତ୍ତୀ ସମୟରେ ସଂପୃକ୍ତ ଶ୍ରମିକଙ୍କୁ ନାମକୁ ମାତ୍ର କିଛି ପାଉଣା ଦେଇ ସେହି ଟଙ୍କା ତାଙ୍କ ଠାରୁ ଅସୁଲି କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ଏ ନେଇ ଉପରବାହାଲ ପଂଚାୟତର ନିର୍ବାହୀ ଅଧିକାରୀ ଆନନ୍ଦ ପାତ୍ରଙ୍କୁ ପଚାରିବାରୁ କାମ ତଦାରଖ କରୁଥିବା ଗାଁ ସାଥୀଙ୍କ ଅବହେଳା ଯୋଗୁଁ ଏଭଳି ହୋଇଛି, କେବଳ ଦିନକର ପାଉଣା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ସକାଶେ ଦାବି ହେଉଛି ।

Leave A Reply

Your email address will not be published.