ବରିଷ୍ଠ ନାଗରିକଙ୍କ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ସଚେତନତା ଶିବିର ସହ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଗଗୁରୁ ମନୋଜ ପଣ୍ଡା ଓ ଦ୍ଵିତୀକୃଷ୍ଣ ପଣ୍ଡା ଯୋଗଦେଇ ଯୋଗ ପ୍ରଶିକ୍ଷଣ ଶିକ୍ଷା ପ୍ରଦାନ କରିଥିଲେ । ପରେ ପୂର୍ବାହ୍ନରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିବା ବେଳେ ତାଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ବିଷୟବସ୍ତୁ ଯଥା ସ୍ୱାସ୍ଥ୍ୟଗତ ସମସ୍ୟା, ସାଇବର ଅପରାଧ, ମୋବାଇଲ ଫୋନର ବ୍ୟବହାର, ସମସ୍ୟା ବିଷୟରେ ସଚେତନ କରାଯାଇଥିଲା । ଏହି ଅବସରରେ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣୀ ଦାଶ, ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସ୍‌ପି ଚନ୍ଦ୍ରଶେଖର ଶବର, ଏଲ୍‌ଡିଏମ୍ କାର୍ତ୍ତିକେଶ୍ୱର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଗୁପ୍ତେଶ୍ୱର ରାଣା, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଡ. ଜ୍ୟୋତିରଞ୍ଜନ ବହିଦାର ଓ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଦସ୍ୟ ଡ. ପ୍ରଫୁଲ୍ଲ ରଥ ମଞ୍ଚାସିନ ଥିଲେ । ଜିଲ୍ଲାପାଳ ଡ. ସାହୁ ବରିଷ୍ଠ ନାଗରିକଙ୍କୁ ନିଜ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ କହିବା ସହ ଆପଣମାନେ ବରିଷ୍ଠ ନୁହେଁ ବଳିଷ୍ଠ ନାଗରିକ । ଅତିରିକ୍ତ ଜିଲ୍ଲାପାଳ ନିଜକୁ ନିଜେ ଭଲ ପାଇବା ପାଇଁ ପରାମର୍ଶ କରିଥିବା ବେଳେ ଶିବିରରେ ଗୁପ୍ତେଶ୍ୱର ରାଣା ଡିଜିଟାଲ ସ୍ୱାକ୍ଷରତା, ସାଇବର ସୁରକ୍ଷା ଓ ଡିଜିଟାଲ ଗିରଫ ସମ୍ପର୍କରେ ସଚେତନତା କରିଥିଲେ । ସିଡିଏମ୍ଓ ଉଷାରଣୀ ଦାସ ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ ବିମା ଯୋଜନା ଓ ବରିଷ୍ଠ ନାଗରିକଙ୍କ ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗ, ତାହାର ପ୍ରତିଷେଧକ ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ । ଏଲଡିଏମ କାର୍ତ୍ତିକେଶ୍ୱର ପଣ୍ଡା ଆର୍ଥିକ ସାକ୍ଷରତା, ସଞ୍ଚୟ, ଅଧିକ ସୁଧ ନିବେଶର ଲୋଭରୁ ଦୂରେଇ ରହିବା, ଆର୍ଥିକ ଆନ୍ତର୍ଭୁକ୍ତିକରଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଓ ବିଭିନ୍ନ ସରକାରୀ ଆର୍ଥିକ ଯୋଜନା ସମ୍ପର୍କରେ କହିଥିଲେ । ଆର୍ଥିକ ଠକେଇ ହେଲେ ତୁରନ୍ତ ୧୯୩୦ ନଂ ହେଲ୍ପଲାଇନରେ କଲ କରିବାକୁ ଡିଏସପି ଶ୍ରୀ ଶବର ସୂଚନା ଦେଇଥିଲେ ।। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ମିସ ପ୍ରୀତି ସୁନା ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.