ରାଜଗାଙ୍ଗପୁର, (ସସ୍ମିତା ପ୍ରଧାନ) : ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ଚକ୍ଷୁ ଚିକିତ୍ସାଳୟମାନ ସ୍ଥାପନା କରି ଅତ୍ୟାଧୁନିକ ଜ୍ଞାନକୌଶଳର ସଦୁପଯୋଗ କରି ଲୋକଙ୍କୁ ଉତ୍ତମ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେଇଆସୁଥିବା ପ୍ରତିଷ୍ଠିତ ଚକ୍ଷୁ ଚିକିତ୍ସାଳୟ ଏଲ୍ଭି ପ୍ରସାଦ ଆଇ ହସ୍ପିଟାଲ ଦେଶରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ ଜିଲ୍ଲାରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଓସିଏଲ୍ ସହିତ ମିଳିତ ଭାବେ ରାଜଗାଙ୍ଗପୁର ନିକଟସ୍ଥ ଝଗରପୁର ଠାରେ ଗତ ୨୭/୨/୨୦୧୫ରେ ଡାଲମିଆ ଓସିଏଲ୍ ଆଇ ସେଣ୍ଟର ନାମରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲା । ଭାରତର ତତ୍କାଳୀନ ରାଷ୍ଟ୍ରପତି ଡ଼ଃ. ଏ ପି ଜେ ଅବଦୁଲ କାଲାମଙ୍କ କରକମଳରେ ତଥା ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରତିଷ୍ଠା ହୋଇଥିବା ଏହି ଡାକ୍ତରଖାନାଟି ଆଜି ୧୧ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଡାକ୍ତରଖାନା ପରିଷରରେ ଆୟୋଜିତ ହୋଇଥିବା୧୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ିସିବିଏଲ୍ କମ୍ପାନୀର ମାନବସମ୍ବଳ ମୁଖ୍ୟ ଶ୍ରୀମତୀ ଶୁଭଲକ୍ଷ୍ମୀ ପାଇକରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଆଜିର ସମୟରେ ଲୋକଙ୍କ ମଧ୍ୟରେ ଦୃତଗତିରେ ବୃଦ୍ଧି ପାଉଥିବା ଚକ୍ଷୁ ସମ୍ବନ୍ଧୀୟ ସଂକ୍ରମଣ ନିଶ୍ଚିତ ଭାବେ ଚିନ୍ତାର ବିଷୟ ଯଦିଓ ନିଜ ଶରୀର ପ୍ରତି ସର୍ବଦା ଯତ୍ନବାନ ହେବା ସହିତ ସମୟର ଆବଶ୍ୟକତା ଅନୁସାରେ ଉଚିତ ସମୟରେ ଯଦି ଜଣେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନିଏ ତେବେ ନିଶ୍ଚିତ ଭାବେ ସେ ଚକ୍ଷୁ ସଂକ୍ରମିତ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବ ବୋଲି ଶ୍ରୀମତୀ ପାଇକରାଏ କହିଥିଲେ । ପ୍ରାରମ୍ଭରେ ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରେଖା ଗୋରାଇ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜିର ଏହି ବାର୍ଷିକ ଉତ୍ସବରେ ଡ଼ଃ. ଅଶ୍ୱିନୀ ରସାଳ, ଡ଼ଃ. ନିହାର ଗର୍ଗ, ଜୀତେନ୍ଦ୍ର ପ୍ରଧାନ, ବରଦା ଗୋଛାୟାତ, ମହମ୍ମଦ ଇରଫାନ ବାଇସ, ଗୌତମ ସିଂଙ୍କ ସମେତ ଡାକ୍ତରଖାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତି ଅନୁସାରେ ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୨,୨୦,୪୫୬ଜଣ ଆଉଟ ଡୋର ପେସେଣ୍ଟଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୧୮୩୩୦ ଜଣଙ୍କ ଅପରେସନ କରାଯାଇଛି । ତନ୍ମଧ୍ୟରୁ ପ୍ରାୟ ୬୦ଭାଗରୁ ଅଧିକ ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯାଇଛି । ଆବଶ୍ୟକତା ଅନୁସାରେ ୧୫୯୨ଜଣଙ୍କ ସ୍ୱତନ୍ତ୍ର ସର୍ଜରୀ କରାଯାଇଛି । ୯୨୫୧୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ କମ୍ୟୁନିଟି ଆଇ କେଆର ମାଧ୍ୟମରେ ୧୮୩୯୫୪ ଜଣଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରାଯାଇଛି ।