ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ନିଜ ପରିବାର ତଥା ସମାଜା ପାଇଁ ଅହରହ କର୍ମ କରିଥାଏ । କର୍ମମୟ ଜୀବନ ପ୍ରକ୍ରିୟାରେ ମୃତ୍ୟୁ ଚିରନ୍ତନ ସତ୍ୟ ଅଟେ । ମୃତ୍ୟୁ ପରେ ମଣିଷର କର୍ମର ଆକଳନ ସମାଜ କରିଥାଏ । ସତ କର୍ମ କରିଥିବା ବ୍ୟକ୍ତିର ଚର୍ଚ୍ଚା ସମାଜରେ ତିଷ୍ଠି ରହିଥାଏ । ଦୁନିଆରୁ ବିଦାୟ ନେବା ପରେ ସେହି ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୋଖରୀ ଖନନ, ପାନୀୟଜଳ ଯୋଗାଣ, ମନ୍ଦିର ନିର୍ମାଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟ, ପାଠାଗାର, ଅନାଥାଶ୍ରମ ପରି ଅନୁଷ୍ଠାନ ଖୋଲା ଯାଇଥାଏ । ଏହି ପରିପ୍ରେକ୍ଷୀରେ ମୃତ ବ୍ୟକ୍ତିଙ୍କ ସ୍ମୃତି ରକ୍ଷା ନିମିତ୍ତ ବୃକ୍ଷରୋପଣ ଓ ସଂରକ୍ଷଣ କରିବା ପରି ଏକ ମହତ୍ କର୍ମ ଗତ ପଚିଶ ବର୍ଷ ଧରି କରି ଆସୁଛନ୍ତି ପ୍ରକୃତିବନ୍ଧୁ ମୀନକେତନ ସାହୁ । ଏହି ମହତ କର୍ମ ଆଧାରର ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ କେର୍ମଲି ଗ୍ରାମରେ ସ୍ୱର୍ଗତ ଦୁଃଖୁ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପୁଅ ପ୍ରଦୀପ ସାହୁ ଓ ବୈଲୋଚନ ସାହୁଙ୍କ ଦ୍ୱାରା ରାସ୍ତା ପାର୍ଶ୍ବରେ ବଉଳ ଚାରା ରୋପଣ କରାଯାଇଛି । ଏହା ସହିତ ସ୍ୱର୍ଗତ ଦୁଃଖୁ ସାହୁଙ୍କ ଦୁଇ ବଡ ଭାଇ ସ୍ୱର୍ଗତ ପରିକ୍ଷିତ ସାହୁ ଓ ସ୍ୱର୍ଗତ ପବିତ୍ର ସାହୁଙ୍କ ସ୍ମୃତିରକ୍ଷା ପାଇଁ ପୁତ୍ର ରୂପାଧର ସାହୁ ଓ ବାମ ସାହୁ ପଥ ପାର୍ଶ୍ବରେ ବଉଳ ଚାରା ରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ର ସଂପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଚାରା ପ୍ରଦାନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଚାରା ରୋପଣ ସହ ସେ ଉପସ୍ଥିତ ପୁତ୍ର ତଥା ଆତ୍ମୀୟ ସ୍ୱଜନଙ୍କୁ ବୃକ୍ଷର ସୁରକ୍ଷା ତଥା ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ପନ୍ଦର ବର୍ଷ ପୂର୍ବେ ସେହି କେର୍ମେଲି ଗ୍ରାମର ସ୍ୱର୍ଗତ ଡୋଲାମଣୀ ବାରିକଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ତାଙ୍କର ନାତି ହୃଷିକେଶ ସାହୁଙ୍କ ଦ୍ୱାରା ରୋପିତ ବଉଳ ବୃକ୍ଷ ପଥିକ ମାନଙ୍କ ପାଇଁ ବର୍ତ୍ତମାନ ଆଶ୍ରୟ ସ୍ଥଳୀ ପାଲଟିଛି । ଏହିପରି ମୃତାହଃ ବ୍ୟକ୍ତିଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ ପରି ମହତ୍ କାମ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଯାହାକି ପରିବେଶ ସୁରକ୍ଷା ସହ ଶହ ଶହ ବର୍ଷ ଧରି ସ୍ମୃତି ରକ୍ଷା କରିବ ।
Prev Post