jayashree

ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ କାମ କରୁଥିବା ଓକେସିଏଲ ପକ୍ଷରୁ ଦିଆଯାଉଥିବା କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶନିବାର ଦିନ ଭୂବନେଶ୍ୱରର ରେଳ ଅଡିଟୋରିୟମରେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪ତମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ଏହା ସହିତ ରେଖା ମହାନ୍ତିଙ୍କ ଛତ୍ରପୁର ସ୍ଥିତ ରେଖାସ ଡିଜିଟାଲ ଏଜୁକେସନରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ୬ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଇଥିବା ସହ ଗଞ୍ଜାମ ଜିଲ୍ଲାରେ ଓକେସିଏଲର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶାର ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ମଧ୍ୟ ଶ୍ରୀମତୀ ରେଖାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ ଉଦଘାଟକ ଭାବେ ଯୋଗଦେଇ ପୂର୍ବାହ୍ନ ସାଢ଼େ ୯ଟା ବେଳେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମାବେଶରେ ଯୋଗ ଦେଇଥିବା ତଥା ସାରା ରାଜ୍ୟରେ କାର୍ଯ୍ୟରତ ଓକେସିଏଲର ଏକ ହଜାର ଅଧିକୃତ କେନ୍ଦ୍ରର ନିର୍ଦ୍ଦେଶକ/ନିର୍ଦ୍ଦେଶିକା, ପରିଚାଳକ/ପରିଚାଳିକା ଓ ପ୍ରଶିକ୍ଷକ/ପ୍ରଶିକ୍ଷିକା ମାନଙ୍କୁ ଉଦବୋଧନ ଦେଇ ଡକ୍ଟର ରାଉତ ୨୦୨୫ କ୍ୟାଲେଣ୍ଡର ବର୍ଷରେ ଓକେସିଏଲ୍‌ର ପ୍ରଭାବୀ ପ୍ରଦର୍ଶନ ପାଇଁ ସମସ୍ତଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ । ଡକ୍ଟର ମନୋରଞ୍ଜନ ପୁଥାଳଙ୍କ ବଳିଷ୍ଠ ଦିଗଦର୍ଶନରେ ଚଳିତ ବର୍ଷ ଓକେସିଏଲ ସଫଳତାର ନୂଆ ଶିଖରକୁ ସ୍ପର୍ଶ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାବେଶକୁ ସମ୍ବୋଧିତ କରି ଦୁଇ ଦଶନ୍ଧି ପୂର୍ବେ ଓଡ଼ିଶା ଏକ ଖଣିଜ ଭିତ୍ତିକ ଅର୍ଥନୀତି ସର୍ବସ୍ୱ ରାଜ୍ୟ ଭାବେ ପରିଚିତ ଥିଲା ବେଳେ ବର୍ତ୍ତମାନ ଏହା ବୁଦ୍ଧିମତା ଭିତ୍ତିକ ଅର୍ଥନୀତି ସର୍ବସ୍ୱ ରାଜ୍ୟ ଭାବେ ପରିଗଣିତ ହେଉଛି ବୋଲି କହିଥିଲେ । ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ନିଜ ଅଭିଭାଷଣରେ ଓକେସିଏଲର ସଫଳତାର ସମସ୍ତ ଶ୍ରେୟ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକୃତ କେନ୍ଦ୍ରର ପରିଚାଳକ ମାନଙ୍କୁ ଦେବା ସହ ୨୦୩୦ ମସିହା ସୁଦ୍ଧା ୨୫ ଶହ କେନ୍ଦ୍ର ଜରିଆରେ ବାର୍ଷିକ ୫ ଲକ୍ଷ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ଓ ମଙ୍ଗଳ ପାଇଁ କୃତ୍ରିମ ବୁଦ୍ଧିମତା ଡାକରାକୁ ଦୃଷ୍ଟିରେ ରଖି ଓକେସିଏଲ ପକ୍ଷରୁ ଚଳିତ ବର୍ଷ “ଘରେ ଘରେ ଓଏସସିଆଇଟି, ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପ୍ରତ୍ୟେକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା” ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ପରିଚାଳିକା ଇପ୍ସିତା ମିଶ୍ର ଓ ଜୟଶ୍ରୀ ଦେହେରୀ ମଞ୍ଚ ସଂଯୋଜନା କରିଥିବା ବେଳେ ସିଏସ ସସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ରେଖାଙ୍କ ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.