ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଦ୍ଵିି-ବାର୍ଷିକୀ ପ୍ରସିଦ୍ଧ ଛତ୍ରପୁର ଠାକୁରାଣୀ ଯାତ୍ରା ଆୟୋଜିତ ହେବ । ଏନେଇ ବିଧିବଦ୍ଧ ଭାବେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରର ମା’ ରାମାୟଣା ମା’ ମନ୍ଦିର ପରିଚାଳନା କମିଟିର ସଭାପତିଙ୍କ ସଭାପତିତ୍ୱରେ ଠାକୁରାଣୀ ଯାତ୍ରା କମିଟି ମ୍ୟାନେଜର ଚୟନ ହୋଇଯାଇଛି । ଠାକୁରାଣୀ ଯାତ୍ରା କମିଟିର ମ୍ୟାନେଜର ଭାବେ ସି.ଏଚ୍. ଦୟାନନ୍ଦ ରେଡ୍ଡୀ ମନୋନୀତ ହୋଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମନ୍ଦିର ପରିଚାଳନା କମିଟି, ଯାତ୍ରା କମିଟି ଓ ଛତ୍ରପୁର ଅଞ୍ଚଳବାସୀଙ୍କ ଉପସ୍ଥିତିରେ ୨୦୨୬ରେ ହେବାକୁ ଥିବା ଛତ୍ରପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୪ ମସିହାରେ ମ୍ୟାନେଜେର ଭାବେ ସି.ଏଚ୍. ଦୟାନନ୍ଦ ରେଡ୍ଡୀ ସୁନ୍ଦର ଭାବେ ଦାୟିତ୍ୱ ତୁଳାଇଥିଲେ । ଠିକ ସେହିପରି ଚଳିତ ବର୍ଷ ୨୦୨୬ରେ ହବାକୁ ଥିବା ମା’ ରାମାୟଣା ମା’ ଠାକୁରାଣୀ ଯାତ୍ରା କମିଟି ମ୍ୟାନେଜେର ଓ ଆସିଷ୍ଟାଣ୍ଟ ମ୍ୟାନେଜେର ଦୁଇଜଣଙ୍କ ନାମକୁ ପୁଣି ପ୍ରସ୍ତାବିତ କରାଯାଇଥିଲା । ଯେହେତୁ ଅନ୍ୟ କୌଣସି ପ୍ରତିଦ୍ୱନ୍ଦୀତା କରିନଥିଲେ ପୁଣିଥରେ ସି.ଏଚ୍. ଦୟାନନ୍ଦ ରେଡ୍ଡୀ ମ୍ୟାନେଜେର ଓ ସମରେନ୍ଦ୍ର ସେନାପତି ଆସିଷ୍ଟାଣ୍ଟ ମ୍ୟାନେଜେର ଏବଂ ତାଙ୍କ ଟିମ୍କୁ ମନ୍ଦିର କମିଟି ଓ ଉପସ୍ଥିତ ସଦସ୍ୟ ମାନଙ୍କ ସହମତିରେ ନିର୍ଦ୍ୱନ୍ଦରେ ଚୟନ କରାଗଲା । ତାପରେ ମନ୍ଦିର କମିଟି ଓ ସମସ୍ତ ଛତ୍ରପୁର ବାସିନ୍ଦା ନୂତନ କମିଟିକୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପିନ୍ଧାଇ କରତାଳି ସହିତ ସ୍ୱାଗତ ଜଣାଇଥିଲେ । ପରେ ମା’ ରାମଚଣ୍ଡୀଙ୍କ ପୂଜା କମିଟି ତରଫରୁ ନୂତନ କମିଟିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମନ୍ଦିର କମିଟି ସଭାପତି ଏସ୍ ରାମ ମୋହନ ରାଓ, ସମ୍ପାଦକ ବି. ଶ୍ରୀନିବାସ, ଏମ୍. ସତ୍ୟନାରାୟଣ, ଟି. ଚନ୍ଦ୍ର ଶେଖର ରାଓ, ବି. ରାଜି ବାବୁ, ରାମଚଣ୍ଡୀ କମିଟି ସଂଯୋଜକ କମଳ ପଣ୍ଡା, ସୁଧୀର ପଟ୍ଟନାୟକ, ରାଜୁ ରେଡ୍ଡୀ, ଲିଙ୍ଗରାଜ ରେଡ୍ଡୀ, ଏନ୍. ପ୍ରଭାକର ରାଓ, ଦାଲେୟା ରେଡ୍ଡୀ, ସି.ଏଚ୍. ପୂର୍ଣ୍ଣ କୁମାର, ରମେଶ ରେଡ୍ଡୀ, ବୁଲୁ ରେଡ୍ଡୀ ସହ କମିଟିର ଅନ୍ୟ ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ । ଶେଷରେ କମିଟି ମ୍ୟାନେଜର ତଥା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ଢୋଲ, ଝାଞ୍ଜ ତଥା ନାନା ବାଦ୍ୟ ଧ୍ଵନିରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା ହୋଇଥିଲା ।