ବଲାଙ୍ଗୀର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଗଣିତ, ପରିସଂଖ୍ୟାନ ଏବଂ କମ୍ପ୍ୟୁଟର ବିଜ୍ଞାନରେ କମ୍ପ୍ୟୁଟେସନାଲ୍ ଏବଂ ଡାଟା ସାଇନ୍ସ ବିଷୟକ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀକୁ କମ୍ପ୍ୟୁଟର ସାଇନ୍ସ, ଗଣିତ ଓ ସଂଖ୍ୟାନ ବିଭାଗ ଯୁକ୍ତ ଭାବେ ଆୟୋଜନ କରିଥିଲେ । ଉଦ୍ଘାଟନୀ ଅବସରରେ ଉପକୁଳପତି ଜାତୀୟ ଶିକ୍ଷାନୀତି ଅନୁସାରେ ବହୁଶାଖାଭିତ୍ତିକ ଗବେଷଣାର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର, ପିଜିସି ଅଧ୍ୟକ୍ଷ ସହିତ ବିଭିନ୍ନ ଟେକ୍ନିକାଲ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ମହଲରୁ ଆସିଥିବା ବିଶିଷ୍ଟ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀ ପାଇଁ ସମଗ୍ର ଦେଶରୁ ମୋଟ ୭୬ଟି ଗବେଷଣା ପ୍ରବନ୍ଧ ପ୍ରାପ୍ତ ହୋଇଥିଲା । ତାହାର ମଧ୍ୟରୁ କମ୍ପ୍ୟୁଟର ସାଇନ୍ସରୁ ୩୫, ଗଣିତରୁ ୨୧, ସଂଖ୍ୟାନରୁ ୧୬ ଓ ଅନ୍ୟ ଅନୁଶାସନରୁ ୪ଟି ପ୍ରବନ୍ଧ ଥିଲା । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ୫୫ ଜଣ ଛାତ୍ରଛାତ୍ରୀ, ୧୧ ଜଣ ଗବେଷଣା ଶିକ୍ଷାର୍ଥୀ ଓ ୭ ଜଣ ଅଧ୍ୟାପକ ଥିଲେ । ସମ୍ମିଳନୀରେ ଦୁଇଟି ସମାନାନ୍ତର ଟେକ୍ନିକାଲ ସେସନ୍ରେ ମୌଖିକ ପ୍ରବନ୍ଧ ପ୍ରସ୍ତୁତି ହୋଇଥିବା ସହିତ ପ୍ରାୟ ୩୬ଟି ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ସମ୍ମିଳନୀର ଶେଷରେ ପ୍ରମାଣପତ୍ର ବଣ୍ଟନ ସହିତ କମ୍ପ୍ୟୁଟର ସାଇନ୍ସ, ଗଣିତ ଓ ସଂଖ୍ୟାନ ବିଭାଗରେ ଶ୍ରେଷ୍ଠ ପୋଷ୍ଟର ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଅଧ୍ୟାପକଗଣ ଓ ଛାତ୍ର ସେବକମାନେ ସକ୍ରିୟ ସହଯୋଗ କରିଥିଲେ ।