- ନିଜ ଜାତି ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧତା ପ୍ରମାଣ କର – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତି ସ୍ତରରେ ସଂଗଠିତ ହୋଇ ନିଜର ସଂପ୍ରଦାୟ ବିକାଶ ସହ ଜାତି ଭିତରେ ଥିବା କୁସଂସ୍କାରକୁ ଦୂର କରିବା, ଶିକ୍ଷା କ୍ଷେତ୍ରରେ ସଚେତନତା ଆଣି ନିଜର ଜାତି ସମାଜର ପୁଅ ଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରାଇବା କ୍ଷେତ୍ରରେ ଡୁମାଲ ସମାଜ ଆଖି ଦୃଶିଆ କାମ କରିଛନ୍ତି । କିନ୍ତୁ ଏତିକି କଲେ ହେବ ନାହିଁ ନିଜ ଭିତରେ ଏକତା ସହ ସମାଜ ପ୍ରତି ଥିବା ନିଜର ଉତ୍ତରଦାୟିତ୍ୱ ବିଶେଷ କରି ରାଜନୈତିକ ସ୍ତରରେ ଏକତାବଦ୍ଧ ହୋଇ ଅଂଚଳର ସାମଗ୍ରିକ ବିକାଶରେ ଯୋଗଦାନ କଲେ ହିଁ ଜାତି ସମାଜର ସମାଜ ପ୍ରତି ଦାୟିତ୍ୱବୋଧତା ପ୍ରମାଣିତ ହୋଇଥାଏ । ତେଣୁ ମୁଁ ଆହ୍ୱାନ କରୁଛି ନିଜ ଜାତି ସହ ସମାଜ ପ୍ରତି ମଧ୍ୟ ଉତ୍ତରଦାୟିତ୍ୱ ପ୍ରମାଣ କରନ୍ତୁ ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ ରାଣୀପାଲି ଆମ୍ବ ବଗିଚାରେ ଅନୁଷ୍ଠିତ ୬୦ଘର ଡୁମାଲ ସମାଜର ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ୬୦ଘର ଡୁମାଲ ସମାଜର ସଭାପତି ଶରତ ମହାକୁର, ଯାହାଙ୍କୁ କି ଜାତି ସମାଜ ହିସାବରେ ଜାତିର ପନୁଆ ବୋଲି କୁହାଯାଏ । ତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଏ ଅବସରରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ଡୁମାଲ ସମାଜ ଏକ ସାମାଜିକ ରାଜନୈତିକ ଓ ଅର୍ଥନୈତିକ ସ୍ତରରେ ଏକ ଆଗୁଆ ଜାତି ସମାଜ । ଏମାନେ କେବଳ ନିଜ ଭିତରେ ନ ରହି ସମାଜରେ ଚାଲିଥିବା ଦୁର୍ନୀତି, ବେକାରୀ ସମସ୍ୟା, ମହିଳା ନିର୍ଯ୍ୟାତନା, ଚାଷୀମାନଙ୍କ ଧାନକିଣା ସମସ୍ୟା ଏ ସବୁର ସମାଧାନ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରନ୍ତି । ଏ ଅବସରରେ ପୂର୍ବତନ ସଭାପତି ଲମ୍ବୋଦର ମହାକୁର ନିଜର ବିଦାୟୀ ଭାଷଣ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କେନ୍ଦ୍ରରୁ ସଭାପତି, ସଂପାଦକ ଏବଂ କୋଷାଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ଏହି ସାଂଗଠନିକ ସଭାରେ ସୁବଲ ଖମାରୀ, ନାରାୟଣ କମ୍ପ, ପିଙ୍କୁ ମହାକୁର, ବୁଡୁ କରନ, ମଧୁସୁଦନ କ୍ଷେତୀ, ଜନାର୍ଦ୍ଦନ ମେର୍ଲି, ବୁଦ୍ଧଦେବ ମହାକୁର, ଅଭିମନ୍ୟୁ ପ୍ରଧାନ, ସୁଦାମ ଖମାରୀ, ମହେନ୍ଦ୍ର ମହାକୁର, ଡାକ୍ତର କ୍ଷେତି, କବିନ୍ଦ୍ର ପଧାନ, ମୀନକେତନ ଡାଙ୍ଗ, ଦୁଃଖିଶ୍ୟାମ ମହାକୁର, ମିତ୍ର ବଘାର, ଶୁଶିଲ ମହାକୁର, ହେମନ୍ତ ମହାକୁର, ସଦାନନ୍ଦ ଗୁରହାଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିବା ବେଳେ ସଭା ପରିଚାଳନା ସଂଜୟ ମହାକୁର କରିଥିଲେ ଏବଂ ଶଙ୍କର୍ଷଣ ଭୋଇ ଧନ୍ୟବାଦ ଦେବା ସହ ସଭା ଶେଷ ଘୋଷଣା କରିଥିଲେ ।