ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରରେ ଦିନକୁ ଦିନ ସ୍ପିଡ ବାଇକିଂ ବଢ଼ି ବଢ଼ି ଚାଲିଛି । ସ୍ପିଡ୍ ବାଇକର ଉଭୟ ବାମ ଓ ଡାହାଣ ପଟୁ ଓଭର୍ ଟେକ୍ କରୁଛନ୍ତି । ଫଳରେ ସାଧାରଣ ଯାତ୍ରୀ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ସମାନ ଘଟଣାରେ ଆଉ ଏକ ପ୍ରାଣ ହାନି ଘଟିଛି । ଶନିବାର ସନ୍ଧ୍ୟାରେ ଇଚ୍ଛାପଡା ନିବାସୀ ରାଜେନ୍ଦ୍ର ରଣା କାମରୁ ଘରକୁ ଫେରୁଥିବା ବେଳେ ଏକ ଅଜଣା ସ୍କୁଟି ଧକ୍କା ଦେଇଥିଲା । ପଡାବାସୀ ଆହତଙ୍କୁ ଭୀମ ଭୋଇ ମେଡିକାଲ ନେବା ପରେ ଚିକିତ୍ସିତ ଅବସ୍ଥାରେ ରାଜେନ୍ଦ୍ର ପ୍ରାଣ ହରାଇଥିଲେ । ରବିବାର ଦିନ ପରିବାର ଓ ବନ୍ଧୁବର୍ଗ ସାଲେପାଲି-ବସ ଟର୍ମିନାଲ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତି ପୂରଣ ତଥା ଅଜଣା ସ୍କୁଟି ଚାଳକଙ୍କୁ କାବୁ କରି ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରିଥିଲେ । ରାସ୍ତା ଅବରୋଧ ହେବାରୁ ପ୍ରାୟ ଦୁଇ ଘଣ୍ଟା କାଳ ଉକ୍ତ ରାସ୍ତା ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଟାଉନ ପୁଲିସ ଓ ବଲାଙ୍ଗିର ତହସିଲଦାର ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।