କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି । ମାର୍ଚ୍ଚ ଶେଷ ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି । ଏହାକୁ ନେଇ କିଛି ଦିନ ହେଲା କମ୍ବିଂକୁ ଜୋରଦାର କରାଯାଇଛି । ଗତ ସପ୍ତାହରେ ରାଇକିଆ ଥାନା ଇନ୍ଦ୍ରଗଡ ପଞ୍ଚାୟତରେ ମଧ୍ୟ ପୋଲିସ ମାଓବାଦୀ ମୁହମୁହିଁ ହେବା ସହ ଗୁଳିବିନମୟ ହୋଇଥିଲା । ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ଜଙ୍ଗଲରେ ଏବେବି କମ୍ଵିଂ ଅପରେସନ ଜାରି ରହିଛି ।