ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକଙ୍କ ଆଗାମୀ ଫେବୃୟାରୀ ୨୩ ତାରିଖରେ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନିଗମର ବଲାଙ୍ଗିର ଶାଖା ପ୍ରବନ୍ଧନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି । ସ୍ଥାନୀୟ ହୋଟେଲ ସ୍ୱୟମ ପେଲେସଠାରେ ଜୀବନବୀମା ଅଭିକର୍ତ୍ତା ସମୁହଙ୍କ ଏକ ସମ୍ମିଳନୀରେ ଯୋଗଦାନ କରି ଶ୍ରୀ ପଟ୍ଟନାୟକ ଜୀବନ ବୀମା ବ୍ୟବସାୟ ତଥା ସେବା ପ୍ରଦାନରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଅଭିକର୍ତ୍ତାଙ୍କୁ ସମ୍ମାନୀତ କରିବା ସହିତ ନିଗମର ବାର୍ତ୍ତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସୂଚନା ଦେବା କାର୍ଯ୍ୟକ୍ରମ ଅଛି । ସୂଚନାଯୋଗ୍ୟ ଯେ ବିଗତ ଆର୍ଥିିକ ବର୍ଷରେ ବଲାଙ୍ଗିର ଶାଖା ସପ୍ତସ୍ତମ୍ଭ ଲକ୍ଷ୍ୟ ହାସଲର ଏକ ବିରଳ କୃତିତ୍ୱ ଲାଭ କରି ସର୍ବ ଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ବଲାଙ୍ଗିର ଆଗମନ କରୁଥିବା ଶାଖା ପ୍ରବନ୍ଧନ ପକ୍ଷରୁ ପ୍ରକାଶ । ରାଷ୍ଟ୍ରାୟତ ଜୀବନ ବୀମା ନିଗମ, ଭାରତରେ ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ କ୍ରମେ ସମଗ୍ର ବିଶ୍ୱର ଚତୁର୍ଥ ବୃହତମ ବୀମା କମ୍ପାନୀ ଭାବେ ପ୍ରତିଷ୍ଠା ଲାଭ କରିଥିବା ଦୃଷ୍ଟିରୁ ପଲିସି ଧାରକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶ୍ରୀ ପଟ୍ଟନାୟକ ନିଗମ ପକ୍ଷରୁ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ ଜରିଆରେ କୃତଜ୍ଞତା ଜଣାଇବା ସୂଚନା ଅଛି । ଅପରାହ୍ନରେ ଅଭିକର୍ତ୍ତାମାନଙ୍କ ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ଥାନୀୟ ଚନ୍ଦ୍ରଶେଖର ନଗର ସ୍ଥିତ ଶାଖା କାର୍ଯ୍ୟାଳୟକୁ ପାଛୋଟି ଅଣାଯିବା ସହିତ ସେଠାରେ ବୃକ୍ଷରୋପଣ ଓ ଅଧିକାରୀ ଓ କର୍ମଚାରୀ ସହିତ ଔପଚାରିକ ବୈଠକ କରିବା ନିଷ୍ପତି ଗ୍ରହଣ କରାଯାଇଛି । ନିଗମର ଶାଖା ପ୍ରବନ୍ଧନ ପକ୍ଷରୁ ବରିଷ୍ଠ ଶାଖା ପ୍ରବନ୍ଧକ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ପ୍ରବନ୍ଧକ ସୁଧାଂଶୁ ବଳିଆର ସିଂ ପ୍ରଶାସନିକ ଅଧିକାରୀ ତେଜ କୁମାର ଲାକ୍ରା, ଅଭିକର୍ତା ସଂଗଠନର ମଣ୍ଡଳ ସଭାପତି ଅସୀମ ପଟ୍ଟନାୟକଙ୍କ ପ୍ରମୁଖ ଗସ୍ତକ୍ରମର ସମସ୍ତ ପରିଚାଳନା ଦାୟିତ୍ୱ ତଦାରଖ କରୁଛନ୍ତି ।

Leave A Reply

Your email address will not be published.