ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ଛତ୍ରପୁର ସହରରେ ଉତ୍ତେଜନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ସହର ତଥା ଛତ୍ରପୁର ଥାନା ଅଧୀନସ୍ଥ ରିକାପଲ୍ଲୀ ଗେଟବନ୍ଧ ନିକଟ ଚିକେନ୍‌ କାଉଣ୍ଟର ମାର୍କେଟ ଅସ୍ଥାୟୀ କମ୍ପ୍ଲେକ୍ସ ପଛପଟେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା ଶୁକ୍ରବାର ସକାଳୁ ସକାଳୁ ଖବର ମିଳିଛି । ଛତ୍ରପୁର ଥାନା କର୍ତ୍ତୃପକ୍ଷ ସହ ଏକ ଟିମ୍‌ ସର୍ଚ୍ଚ ଅପରେସନ ଜାରୀ ରଖିଛନ୍ତି । ଏହା ଏକ ସାଙ୍ଗସାଥୀ ମେଳରେ ଘଟିଥିବା ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ମୃତକ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ସାହେବ୍‌ ଜେନା ପଲ୍ଲୀ ଅବା ଅରୁଗୁଣି ଗ୍ରାମର ଆର. ରାଜା ରାଓ ବୋଲି ଜଣାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଅବା ମଧ୍ୟରାତ୍ରୀ ଗୋଟାଏ ବେଳେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତକ ଆର. ରାଜାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ପଠାଯାଇଛି । ଦୁର୍ବୃତ୍ତମାନଙ୍କୁ ସନ୍ଦେହ କରି ପୋଲିସ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରି ଦୁଇ / ତିନିଜଣ ମୃତକଙ୍କର ସାଙ୍ଗସାଥୀଙ୍କୁ ପୋଲିସ ଅଟକ ରଖିଥିବା କୁହାଯାଏ । ଛତ୍ରପୁର ଏସ୍‌‌ଡିପିଓ ଚନ୍ଦନ ଘଡ଼େଇ, ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.