ଛତ୍ରପୁର ସହରକୁ ବୃହତ୍ତର ମ୍ୟୁନିସିପାଲଟୀ ରୂପେ ଗଠନ ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ବୃହତ୍ତର ମ୍ୟୁନିସିପାଲଟୀ ରୂପେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଛତ୍ରପୁରବାସୀ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସାଙ୍ଗକୁ ବିଧାୟକଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ସବୁରି ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଛତ୍ରପୁର ଅଞ୍ଚଳର ୫ଟି ପଞ୍ଚାୟତକୁ ମିଶ୍ରଣ କରାଯିବା ଏବଂ ସର୍ବମୋଟ ୩୬ ଟି ୱାର୍ଡ଼କୁ ନେଇ ପୁନର୍ଗଠନ କରି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ପଦକ୍ଷେପକୁ ନେଇ ୫ଟି ପଞ୍ଚାୟତର ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ସ୍ୱାକ୍ଷର ଦେଇ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ପ୍ରତିନିଧି ମଣ୍ଡଳୀଙ୍କ ସମେତ ପ୍ରାୟତଃ ଦୁଇ ହଜାରରୁ ଉର୍ଦ୍ଧ୍ଵ ଜନସମାବେଶ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାଷନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ଅଞ୍ଚଳର ବିରୋଧୀ ଗୋଷ୍ଠୀ ତଥା କେତେକ ପୁଞ୍ଜିପତି ମାନଙ୍କର ଏହି ଖଳପ୍ରକୃତି ସହ ଜଡ଼ିତ ମୁଷ୍ଟିମେୟ, ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଛତ୍ରପୁର ଏନଏସିକୁ ପୌର ପରିଷଦ ଗଠନ ଅବା ମ୍ୟୁନିସିପାଲଟୀ ଗଠନକୁ ବିରୋଧ କରିଆସୁଛନ୍ତି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବୃହତ୍ତର ମ୍ୟୁନିସିପାଲଟୀ ରୂପେ ପରିଗଣିତ କରାଯିବା ପ୍ରସ୍ତାବ ବିଧିବଦ୍ଧ ବିଜ୍ଞପ୍ତି ଜାରୀ ପ୍ରସଙ୍ଗକୁ ଭଙ୍ଗ କରିବା ଏକ କୁଟଚକ୍ର ବୋଲି ଶାସକ ବିଜେପି ଦଳୀୟ ନେତା ନେତ୍ତୃବର୍ଗଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଭାଜପା ଦଳୀୟ ନେତା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପାଢ଼ୀ, ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରଶ୍ମିତା ନାହାକ, ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଧର୍ମା ରେଡ୍ଡୀ, ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବନୋଜ ନାହକ, ଅଗସ୍ତି ନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ବାପି ଦାସ୍, ପୋଡପଦର ସୁଜାତା ଦାସ, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା ପ୍ରମୁଖ ଛତ୍ରପୁର ବ୍ଲକର ବହୁ ପଞ୍ଚାୟତ ସଦସ୍ୟ ସଦସ୍ୟା ଯୋଗଦେଇ ଛତ୍ରପୁର ମ୍ୟୁନିସିପାଲଟୀ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ତଥା କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.