ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଲାଠିକଟା ବ୍ଲକର ସୁଉଡ଼ିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ରହୁଥିବା ବୃଦ୍ଧା ମହିଳା ଉଲ୍ଲାସି ଗୌଡ଼ଙ୍କ ନାତି ପୁରୁଷୋତ୍ତମ ଗୌଡ଼ ଗତ ୨୦୦୮ ମସିହାରେ ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଏକ ଟ୍ରକ ଚାଳକର ପ୍ରରୋଚନାରେ ପଡି ତା ସାଙ୍ଗରେ ଘରୁ ପକାଇଯାଇଥିଲେ । ଯିଏକି ପୁରୁଷୋତ୍ତମକୁ ନେଇ ଜାମ୍ମୁ ଜାଶ୍ମୀରରେ ଏକ ପ୍ରକାରରେ ଅନ୍ୟ ଜଣଙ୍କ ନିଜଟରେ ବିକ୍ରି କରିଦେଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏପଟେ ପୁରୁଷୋତ୍ତମକୁ ନ ପାଇ ପରିବାର ଲୋକେ ସମୟକ୍ରମେ ଗଣମାଧ୍ୟମ ଜରିଆରେ ନିଜ ଗୁହାରି ଜଣାଇବା ସହିତ ଥାନା ଏବଂ ଶ୍ରମବିଭାଗ ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ନ ପାଇ ଶେଷରେ ନିଜ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଚୁପ ହୋଇ ନିଜ ଘରେ ବସିରହି ୧୮ ବର୍ଷ ତଳେ ନିଖୋଜ ହୋଇଥିବା ପୁରୁଷୋତ୍ତମର ଫେରିବା ବାଟକୁ ଚାହିଁ ରହିଥିଲେ । ତେବେ ଇତି ମଧ୍ୟରେ କୌଣସି ସୂତ୍ରରୁ ନିଖୋଜ ପୁରୁଷୋତ୍ତମ ଜାମ୍ମୁକାଶ୍ମୀରରେ ଜଣେ ବ୍ୟକ୍ତିଙ୍କ ନିକଟରେ ବନ୍ଧକ ଥିବା ନେଇ ପୁରୁଷୋତ୍ତମର ପରିବାର ଲୋକେ ଜାଣିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରି ଜାମ୍ମୁଜାଶ୍ମୀରରେ ବନ୍ଧକ ଥିବା ନିଜ ନାତି ପୁରୁଷୋତ୍ତମକୁ ମୁକୁଳାଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଥିଲେ । ବୃଦ୍ଧା ଉଲ୍କାସିଙ୍କ ଦୁଃଖ ସମ୍ବନ୍ଧରେ ଖବରପାଇ ବିଧାୟକ ଦୁର୍ଗା ଚରଣ ତନ୍ତୀ ଜାମ୍ମୁକାଶ୍ମୀରରେ ବନ୍ଧକ ଥିବା ପୁରୁଷୋତ୍ତମକୁ ତୁରନ୍ତ ମୁକୁଳାଇ ଆଣିବା ପାଇଁ ପଶ୍ଚିମାଞ୍ଚଳ ଡ଼ିଆଇଜି ଶ୍ରୀ ବ୍ରିଜେଶ ରାୟଙ୍କୁ ଗତ ୯/୧/୨୦୨୬ରେ ଚିଠି ଲେଖି ନିବେଦନ କରିଥିଲେ । ଏହି ଚିଠି ପାଇବା ପରେ ପୋଲିସ ବିଭାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବା ପରେ ଆଜି ଟାଙ୍ଗରପାଲ୍ଲୀ ଥାନାର ଜଣେ କର୍ମଚାରୀଙ୍କ ସହିତ ବନ୍ଧକ ଥିବା ପୁରୁଷୋତ୍ତମର ପରିବାରର ଦୁଇଜଣ ସଦସ୍ୟଙ୍କୁ ନେଇ ଜାମ୍ମୁକାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଗତ ୧୮ବର୍ଷ ଧରି ଜାମ୍ମୁ କାଶ୍ମୀରରେ ବନ୍ଧକ ଥିବା ପୁରୁଷୋତ୍ତମ ଆସନ୍ତା ସପ୍ତାହରେ ନିଜ ପରିବାରକୁ ନିଶ୍ଚିତ ଭାବେ ଫେରିବ ।