- ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେବ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ଏପ୍ରିଲ ମାସରେ ୧୦ଟି ରାଜ୍ୟରେ ୩୭ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି । ଓଡ଼ିଶାରୁ ମମତା ମହନ୍ତ, ମୁଜୀବୁଲ୍ଲା ଖାନ, ସୁଜୀତ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଶେଷ ହେବ । ଏହାବ୍ୟତୀତ ମହାରାଷ୍ଟ୍ରର ୭ଟି, ତାମିଲନାଡ଼ୁର ୬ଟି, ପଶ୍ଚିମବଙ୍ଗର ୫ଟି, ଆସାମର ୩ଟି, ବିହାରର ୫ଟି, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ବର୍ତ୍ତମାନ ନିର୍ବାଚନ ଆୟୋଗ ଏସବୁ ପଦବୀ ଲାଗି ନିର୍ବାଚନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟସଭା ନିର୍ବାଚନ ଲାଗି ଆସନ୍ତା ୨୬ ଫେବୃଆରୀ ୨୦୨୬ (ଗୁରୁବାର) ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୫ ମାର୍ଚ୍ଚ ୨୦୨୬ (ଗୁରୁବାର) ଧାର୍ଯ୍ୟ କରାଯାଇଛି । ୬ ମାର୍ଚ୍ଚ ୨୦୨୬ (ଶୁକ୍ରବାର) ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ୯ ମାର୍ଚ୍ଚ ୨୦୨୬ (ସୋମବାର) ସୁଦ୍ଧା ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ରାଜ୍ୟସଭା ନିର୍ବାଚନ ଲାଗି ମତଦାନ ୧୬ ମାର୍ଚ୍ଚ ୨୦୨୬ (ସୋମବାର) ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । ୧୬ ମାର୍ଚ୍ଚ ୨୦୨୬ (ସୋମବାର) ଅପରାହ୍ଣ ୫ଟାରେ ମତଗଣନା କରାଯିବ। ୨୦ ମାର୍ଚ୍ଚ ୨୦୨୬ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
ମତପତ୍ରରେ ପସନ୍ଦ ଚିହ୍ନିତ କରିବା ଲାଗି କେବଳ ରିଟର୍ଣ୍ଣିଂ ଅଧିକାରୀ ଯୋଗାଇ ଦେଇଥିବା ପୂର୍ବ-ନିର୍ଦ୍ଧାରିତ ବାଇଗଣୀ ରଙ୍ଗର କାଳି ଥିବା କଲମ ବ୍ୟବହାର କରାଯିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ବାଚନରେ ପସନ୍ଦର ପ୍ରାର୍ଥୀଙ୍କୁ ଚିହ୍ନିତ କରିବା ଲାଗି ଅନ୍ୟ କୌଣସି କଲମ ଉପଯୋଗ କରାଯିବ ନାହିଁ। ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ନିର୍ବାଚନ ପ୍ରକ୍ରିୟାର ଗଭୀର ନିରୀକ୍ଷଣ ଲାଗି ପର୍ଯ୍ୟାପ୍ତ ଉପାୟ କରାଯିବ ।