ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ମହାଶିବରାତ୍ରିରେ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ବ୍ରତ ବା ଉପବାସ ରଖିଥିଲେ । ସକାଳୁ ସକାଳୁ ଟିଟିଲାଗଡ ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତଙ୍କ ଭିଡ ଜମିଥିଲା ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ । ତେବେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଭିନ୍ନ ଜାଗାରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତର ଯାଏଁ ପୋଲିସ ମୁତୟନ କରାଯାଇଥିଲା । ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ଵରଙ୍କ ଦର୍ଶନ କିପରି ପାଇବେ ସେଥିପାଇଁ ପୋଲିସ ମାନଙ୍କ ସହ ଟିଟିଲାଗଡ଼ ବିକାଶ ସେନା, ହିନ୍ଦୀ ହାଇସ୍କୁଲର ଜେଆରସି ଛାତ୍ରଛାତ୍ରୀମାନେ ଧାଡ଼ି ବ୍ୟବସ୍ଥାରେ ସହଯୋଗ କରିଥିଲେ । ପୂଜା ମଣ୍ଡପରେ ପୂଜକ ମନଧର ପଣ୍ଡା ଓ ସହଯୋଗୀମାନେ ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରୁଥିବା ବେଳେ କର୍ତ୍ତା ସଂଜୀବ ପାଢ଼ୀ ଓ ସପତ୍ନି ବସିଥିବା ବେଳେ ଟ୍ରଷ୍ଟର ସଭାପତି ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଟ୍ରଷ୍ଟି ଭବାନୀ ପ୍ରସାଦ ହୋତା, ଜିତୁ ପାଢ଼ୀ ଏବଂ ସପତ୍ନୀ, ରବି ରାଓ ଏବଂ ସପତ୍ନି, ଦେବାନନ୍ଦ ସାହୁ ଏବଂ ସପତ୍ନି ପୂଜାରେ ବସିଥିବା ବେଳେ ସହଯୋଗ କରୁଥିଲେ ଦୁର୍ଯ୍ୟଧନ ସାହୁ । ଦର୍ଶନ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ଆଦି ଯୋଗୀଙ୍କ ପ୍ରତିମୂର୍ତ୍ତି । ସେଠାରେ ମଧ୍ୟ ବହୁ ଭକ୍ତ ଦର୍ଶନ କରିବା ସହ ସେଲ୍ଫି ନେବାପାଇଁ ଭିଡ ଜମାଇଥିଲେ । ମହାଶିବରାତ୍ରିର ବିଶେଷ ଆକର୍ଷଣ ହେଉଛି ମେଳା, ଯାହାକି ଚଳିତ ବର୍ଷ ମୀନା ବଜାର, ଦୋଳି, ଖେଳନା, ଘର କରଣା ଜିନିଷ, ଖାଦ୍ୟର ଷ୍ଟଲ ସବୁ ଆସିଥିଲା । ଗତକାଲି ରାତିରେ ଶ୍ରଦ୍ଧାଳୁ ଆସି ମାନସିକ କରି ଦୀପଜାଳି ମହାଦୀପ ଉଠିଲା ଯାଏଁ ମନ୍ଦିର ପ୍ରାଙ୍ଗଣରେ ବସିଥିଲେ । ତେବେ ରୀତିନୀତି ଅନୁସାରେ ସବୁକାର୍ଯ୍ୟ ହେବ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ କହିଥିଲେ ।
Prev Post
Next Post