ଫଲସା ମାଲ ମହଦେଶ୍ୱର ବାବାଙ୍କ ପୀଠରେ ଜାଗର ଯାତ୍ରା ଓ ମହାଶିବରାତ୍ରି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ସ୍ଥିତ ମହଦାଶୁନି ପାହାଡ ଉପରେ ବାବା ମହଦେଶ୍ୱରଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସପ୍ତାହ ବ୍ୟାପୀ ଓଡ଼ିଆ ରାମଚରିତ ମାନସ ପାରାୟଣ ହୋଇଥିଲା । ଏଥିରେ ସୁରେନ୍ଦ୍ର କୁମାର ତ୍ରିପାଠୀ ବ୍ୟାସ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଶେଷଦେବ ଖମାରୀ, ସନକ ଭୁଏ, ଉଜ୍ୱଳ ବରିହା ସସ୍ତ୍ରିକ କର୍ତ୍ତା ଦାୟିତ୍ଵ ତୁଲାଇ ଥିଲେ । କୁଶମେଲ ମଠାଧୀଶ ବାବା ହନୁମାନ ଦାସ, ଲୋଇସିଂହା ମଠାଧୀଶ ବାବା ଲକ୍ଷ୍ମୀ ନାରାୟଣ ଦାସ, ଝାଙ୍କରପାଲି ମଠାଧୀଶ ବାବା ସୁତୀକ୍ଷ୍ମ ଦାସଙ୍କ ମିଳିତ ଆବାହକତ୍ୱରେ ଆଞ୍ଚଳିକ ମହଦେଶ୍ୱର୍ ବାବାଙ୍କ ଶିବରାତ୍ରି ଓ ଜାଗର ଯାତ୍ରା ଆୟୋଜିତ ହୋଇଥିଲା । ଏଥିପାଇଁ ମହଦାସୁନି ପାହାଡ ଉପରକୁ ଶତାଧିକ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପାହାଡ ଉପରେ ବାବା ମହଦେଶ୍ୱରଙ୍କ ମନ୍ଦିର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି । ତେଣୁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରିବା ସକାଶେ ପାହାଡ ଉପରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ନିଜ ସାଧ୍ୟ ମୁତାବକ ବାଲି, ଇଟା ଉପରକୁ ନେଇ କରସେବା ପ୍ରଦାନ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଉଥିଲା । ଶତାଧିକ ଶ୍ରଦ୍ଧାଳୁ ବାବା ମହଦେଶ୍ୱରଙ୍କ ଦର୍ଶନ କରିବା ସହିତ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.