- ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଖାଲି ମନକୁ ଖୋଲା କରିବା-ପ୍ରଫେସର ଦାସ
- ଆକାଶରେ କେତେ ଦୂର ଉଡ଼ିବ ତାହା କେତେ ଦୂର ମାଟି ସହିତ ଯୋଡ଼ି ହେବା ଉପରେ ନିର୍ଭରଶୀଳ – ପ୍ରଫେସର ଦାସ
ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବସନ୍ତ ଉତ୍ସବ ତଥା ବାର୍ଷିକ ଉତ୍ସବ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ଯୋଗ ଦେଇଥିଲେ । ଜଣେ ବ୍ୟକ୍ତି ବା ଛାତ୍ର ନିଜର ସଫଳତା ପାଇବା ପାଇଁ ମା’, ମାଟି ଓ ମାତୃଭାଷା ଉପରେ ନିର୍ଭରଶୀଳ । ସଂସ୍କୃତି ସଭ୍ୟତାକୁ ପ୍ରଭାବିତ କରୁଥିବାରୁ ଆମେ ସମସ୍ତେ ନିଜ ସଂସ୍କୃତି ପ୍ରତି ସମ୍ବେଦନଶୀଳ ହେବା ଉଚିତ ବୋଲି ପ୍ରଫେସର ଦାସ କହିଥିଲେ । ମଣିଷର ପରିଚୟ ନିଜ ଜ୍ଞାନରୁ ମିଳିଥାଏ ଏବଂ ଜୀବନରେ ଆନନ୍ଦ ଶିକ୍ଷାରୁ ହିଁ ମିଳିଥାଏ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ସଙ୍ଗଠକ ଡ. ସନାତନ ପ୍ରଧାନ ଯୋଗଦେଇ ଆମେ ସମସ୍ତେ ଭାରତୀୟ, ତେଣୁ ଭାରତମାତାର ଉନ୍ନତି ପାଇଁ ଆମେ କାର୍ଯ୍ୟ କରିବାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଅହ୍ୱାନ ଦେଇଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏନ୍ଆଇଟି, ରାଉରକେଲା ଛାତ୍ର ବିକାଶ କେନ୍ଦ୍ରର ମୁଖ୍ୟ ନଳିନୀ ନିହାର ନାୟକ ଯୋଗଦେଇ ମଣିଷ ଯେଉଁ ସମୟରେ ମିଛ କହେ, ସେତେବେଳେ ତାର ଅଭିନୟ ଆରମ୍ଭ ହୁଏ ବୋଲି କହିଥିଲେ । ନୂତନ ଶିକ୍ଷାନୀତିରେ ଶିକ୍ଷା ସହିତ ଅନ୍ୟାନ୍ୟ ଦିଗରେ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇଥିବା କଥା ଶ୍ରୀ ନାୟକ କହିଥିଲେ । ଅଧ୍ୟକ୍ଷା ଡ. ସାମଲ ମହାବିଦ୍ୟାଳୟର ଗାରିମା ସମ୍ପର୍କରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଡ୍ରାମାଟିକ ସମିତିର ଉପାଧ୍ୟକ୍ଷା ରାମେଶ୍ୱରୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପିକା ରଶ୍ମିରେଖା ପଲ୍ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ସେହିଭଳି ଅନ୍ୟତମ ଅଧ୍ୟାପକ ମହେନ୍ଦ୍ର ତନୟ ଟୁଡୁ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟାବଳୀ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବିବରଣି ଉପସ୍ଥାପନ କରିଥିଲେ । ଏହି ଅବସରରେ ପୂର୍ବରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ସୃଜନାତ୍ମକ ପ୍ରତିଯୋଗିତାର ମୋଟ ୨୫୭ଜଣ କୃତି ବିଦ୍ୟାର୍ଥୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉତ୍ସବର ପ୍ରଥମ ଦିନରେ ୬୧ଟି ବିଭିନ୍ନ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବର୍ଗରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଅନ୍ୟତମ ଆକର୍ଷଣ ଥିଲା । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ । ଶନିବାର ଉତ୍ସବର ଉଦ୍ଯାପନୀ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ।