ନୂଆପଡ଼ାରେ ଚର୍ଚ୍ଚାର ବିଷୟ : ଏକା ସାଙ୍ଗରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକରୁ ଏକ ବିରଳ ତଥା ଖୁସିର ଖବର ସାମ୍ନାକୁ ଆସିଛି । କୁରୁମପୁରୀ ପଞ୍ଚାୟତ ଅନ୍ତର୍ଗତ ଭୈରବପଡ଼ା ଗ୍ରାମର ଜଣେ ମହିଳା ଏକା ସାଙ୍ଗରେ ଚାରୋଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସବୁଠାରୁ ଖୁସିର କଥା ହେଉଛି, ଜନ୍ମିତ ଚାରୋଟି ଯାକ ଶିଶୁ କନ୍ୟା ଅଟନ୍ତି । ସୂଚନା ଅନୁଯାୟୀ ଭୈରବପଡ଼ା ଗ୍ରାମର ଭୋଜରାଜ ମାଝୀ ପ୍ରାୟ ଦୁଇ ବର୍ଷ ତଳେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ପୁଷ୍ପାଙ୍କୁ ବିବାହ କରିଥିଲେ । ଚଳିତ ବର୍ଷ ପୁଷ୍ପା ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ । ପ୍ରସବ ପାଇଁ ସେ ନିଜ ବାପଘର (ମହାସମୁନ୍ଦ)କୁ ଯାଇଥିଲେ ।ଗତକାଲି ପ୍ରସବ ବେଦନା ହେବାରୁ ତାଙ୍କୁ ମହାସମୁନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ । ଯେଉଁଥିରେ ପୁଷ୍ପା ୪ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଡାକ୍ତରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ମା’ ଏବଂ ଚାରୋଟି ଯାକ ଶିଶୁ ସୁସ୍ଥ ଅଛନ୍ତି । ତେବେ ଶିଶୁମାନଙ୍କର ଅଧିକ ଯତ୍ନ ଏବଂ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁର ସରକାରୀ ମେକାହାରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଭୈରବପଡ଼ା ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଏକା ସାଙ୍ଗରେ ଚାରୋଟି ଲକ୍ଷ୍ମୀଙ୍କ ଆଗମନକୁ ନେଇ ପରିବାର ଲୋକେ ବେଶ୍ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.