ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ହରିଶଙ୍କର ଯିବାକୁ ହେଲେ ଟ୍ରେନ ଯୋଗେ କିମ୍ବା ପ୍ରାଇଭେଟ୍ ଗାଡ଼ି କରି ଯିବାକୁ ପଡୁଥିଲା । ଟିଟିଲାଗଡ଼ରୁ ସିଧା ସଳଖ ହରି ଶଙ୍କର ଯିବା ପାଇଁ କୌଣସି ଡାଇରେକ୍ଟ ବସ ନ ଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ବିଧାୟକ ନବୀନ ଜୈନଙ୍କୁ ଏକ ବସ ଚଲାଇବା ପାଇଁ ଦାବି କରିଥିଲେ । ତେବେ ବିଧାୟକ ମଧ୍ୟ ଏନେଇ ପ୍ରତିଶ୍ରୁତି ଦେବା ସହ ଅତି ଶୀଘ୍ର ଏହି ଦାବି ପୂରଣ କରିବି ବୋଲି କହିଥିଲେ । ଫଳ ସ୍ୱରୂପ ଶିବରାତ୍ରି ପୂର୍ବରୁ ଅର୍ଥାତ ଆଜି ଶୁକ୍ରବାର ୧୩ ତାରିଖ ଦିନ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ନଡ଼ିଆ ବାଡେଇ ପୂଜାର୍ଚ୍ଚନା କରି ପତାକା ଦେଖାଇ ଏହି ବସର ଶୁଭାରମ୍ଭ କରିବା ସହ ନିଜେ ବସ ଡ୍ରାଇଭର ସିଟରେ ବସି ବସ ଚଲାଇଥିଲେ । ଯାହାକି ଲୋକେ ବହୁତ ଆନନ୍ଦିତ ହୋଇଥିଲେ । ଏହି ବସର ଉଦଘାଟନ ସମାରୋହରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ । ତେବେ ଏହି ବସ ଚାଲିବା ପରେ ଗୋଟିଏ ଦିନରେ ହିଁ ସକାଳୁ ବାହାରି ହରିଶଙ୍କରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ ଲାଭ କରି ବୁଲା ବୁଲି କରି ପୁଣି ଟିଟିଲାଗଡ଼କୁ ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବିଧାୟକ କହିଛନ୍ତି । ଏହି ଅବସରରେ ଓଏସ ଆରଟିସିର ଅମିତ କୁମାର ମିଶ୍ର, ଧର୍ମାନନ୍ଦ ବିଶୋଇ, ମନୋଜ ହରପାଲ, ଶାଶ୍ଵତ ପଟ୍ଟନାୟକ, ଯାଦବ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।