ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚିତ୍ରକଳା କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ନିକଟସ୍ଥ ମଞ୍ଚବନ୍ଧା ଆମ୍ବବାଗାନ ପରିସରରେ ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ ଅବସରରେ କୁନିକୁନି ଶିଶୁମାନଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି । କଳାକେନ୍ଦ୍ରର ପ୍ରତିଷ୍ଠାତ୍ରୀ ସ୍ମୃତି ନିବେଦିତା ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ଏବଂ ସଦସ୍ୟା ଅନିମା ମିଶ୍ର, ରାକେଶ ମହାନ୍ତ, ସୁମାଲି ମୁର୍ମୁ, ପ୍ରଭାସ ମହାନ୍ତ ଶିଶୁମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଭାବେ ସାମାଜିକ କର୍ମୀ, ନାଟ୍ୟ ବ୍ୟକ୍ତିତ୍ୱ ଓ ଶିକ୍ଷକ ସୋମନାଥ ସିଂହ ଏବଂ ସମ୍ମାନିତ ଅତିଥି ଭାବେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ରାକୃତିକ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୋମଳମତୀ ଶିଶୁର ସୃଜନଶକ୍ତିର ବିକାଶରେ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁମି ହାଁସଦା ବେଶ୍ରା ଓ ପ୍ରତ୍ୟୁଷ ମହାନ୍ତ ଉପସ୍ଥିତ ରହି ଶିଶୁମାନଙ୍କୁ କଳା, ସୃଜନଶୀଳତା ଓ ସାଂସ୍କୃତିକ ଚେତନା ପ୍ରତି ଆଗ୍ରହୀ କରିବା ଉପରେ ମତ ପ୍ରକାଶ କରିଥିଲେ । ଶିଶୁମାନେ ରଙ୍ଗ ଓ ତୂଳୀରେ ନିଜ ସୃଜନଶୀଳତାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ । ଏପରି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ମୋବାଇଲ ଠାରୁ ଦୁରେଇ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଚାରାଗଛ ପ୍ରଦାନ କରାଯିବା ସହ ତାର ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।

Leave A Reply

Your email address will not be published.