ଭବାନୀପାଟଣା, (କେପିଏନ୍ଏସ୍) : ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ୟୁଜିସି ଦ୍ଵାରା ୨୦୨୬ ମସିହାରେ କରାଯାଇଥିବା ଅଧିନିୟମର ପ୍ରତ୍ୟାହାର ଦାବି କରି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ସବର୍ଣ୍ଣ ବିରୋଧୀ ତଥା ଦେଶ ବିରୋଧୀ ନିୟମାବଳି ସମ୍ପୂର୍ଣ ଉଚ୍ଛେଦ ନିମନ୍ତେ ଭାରତର ରାଷ୍ଟ୍ରପତି ତଥା ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟଧିଶଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ଉପସଭାପତି ଗଜେନ୍ଦ୍ର ପାଢ଼ୀ, ବିନୋଦ ଶର୍ମା, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଓ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଦସ୍ୟମାନେ ଏଥିରେ ଅଂଶ ଗ୍ରହଣ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉଚ୍ଚଶିକ୍ଷା କ୍ୟାମ୍ପସରେ ସବର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅଣଦେଖା କରି ଏକ ପକ୍ଷପାତି ନିୟମ ୟୁଜିସି ରେଗୁଲସନ୍ ୨୦୨୬ ଦେଶ ବିରୋଧୀ ତଥା ସମ୍ବିଧାନ ବିରୋଧୀ ରେଗୁଲେସନ୍ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ ଆପତ୍ତି ପ୍ରଦର୍ଶନ କରାଯିବା ସହ ସମଗ୍ର ଦେଶରେ ଛାତ୍ରମାନଙ୍କ ଉଜ୍ଜଳମୟ ଭବିଷ୍ୟତ ନିମନ୍ତେ ନିରପେକ୍ଷ ଆଇନ ପ୍ରଚଳନ ପାଇଁ ଦାବି କରାଯାଇଥିଲା । କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟ ଏଥି ପ୍ରତି ସମ୍ବେଦନଶୀଳ ହୋଇ ଭାରତର ଭାବି ବଂଶଧର ଛାତ୍ରଛାତ୍ରୀଙ୍କ ନିମନ୍ତେ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଏହି ସବର୍ଣ୍ଣ ବିରୋଧୀ ୟୁଜିସି ରେଗୁଲେସନ୍ ସମ୍ପୂର୍ଣ ପ୍ରତ୍ୟାହାର କରିବା ପାଇଁ ବ୍ରାହ୍ମଣ ସମାଜ କଳାହାଣ୍ଡି ଦାବି କରିଥିଲା । ନଚେତ୍ ଆଗାମୀ ଦିନରେ ଖାଲି କଳାହାଣ୍ଡି ଜିଲ୍ଲା ନୁହଁ ସମଗ୍ର ଦେଶରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବ୍ରାହ୍ମଣ ସମାଜ କଳାହାଣ୍ଡି ଚେତାବନୀ ଦେଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ ଭବାନୀପାଟଣା ନଗର କମିଟିର ସଭାପତି ସୁରେନ୍ଦ୍ର ନେଗୀ, ସମ୍ପାଦକ ଶେଷଦେବ ମିଶ୍ର, ବ୍ରାହ୍ମଣ ସମାଜ କଳାହାଣ୍ଡିର ବରିଷ୍ଠ ସଦସ୍ୟ ଆଦିତ୍ୟ ମିଶ୍ର, ବାଞ୍ଛାନିଧି ମିଶ୍ର, ଗିରିଜା ବାବୁ, ଚିନ୍ମୟ ବେହେରା, ସୂର୍ଯ୍ର ନାରାୟଣ ଯୋଷୀ, ସନ୍ତୋଷ ଦାସ, ଜନ୍ମେଜୟ ମହାପାତ୍ର, ସୁନିଲ ବେହେରା ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।