- ଶୁଭେଛା ଜଣାଇଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଭୋର୍ ୪ .୩୦ ରୁ ସାଇକଲ ଯାତ୍ରା କରି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ, ବଲାଙ୍ଗିର ମାରାଥନ ଆସୋସିଏସନ୍ ପ୍ରତିନିଧି ଦଳ । ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ପହଞ୍ଚିବା ପରେ ପ୍ରଥମେ ମିଡିଆଙ୍କୁ ସମ୍ବୋଧନ କରି ଆମେ ସାଇକଲ ଚଲାଇବା ଦ୍ଵାରା ନିଜକୁ ସୁସ୍ଥ ରଖି ଅନ୍ୟମାନଙ୍କୁ ତଥା ସମାଜକୁ ସୁସ୍ଥ ରଖି ପାରିବା ବୋଲି ବଲାଙ୍ଗିର ମାରାଥନ ସଂଘ ସଦସ୍ୟ କହିଥିଲେ । ପାଞ୍ଚବର୍ଷ ପୂର୍ବରୁ ଏହି ସଙ୍ଗଠନ ସଚେତନତା ଅଭିଯାନ ଆରମ୍ଭ କରିଥିବା ବେଳେ “ପରିବେଶ ସୁରକ୍ଷା ସହ ସ୍ୱାସ୍ଥ୍ୟ ସୁରକ୍ଷା” “ରୋଗ ମୁକ୍ତ ଓ ନିଶା ମୁକ୍ତ ସମାଜ ଗଠନ” ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମତ ରଖିଥିଲେ । ଏବେକାର ଯୁବ ପୀଢ଼ିଙ୍କୁ ନିଶା ଠାରୁ ଅନଲାଇନ୍ ଗେମ୍ ଠାରୁ ଦୂରେଇ ରଖି ଯୋଗ ପ୍ରାଣାୟାମ ଖେଳକୁଦ ବ୍ୟାୟାମ ଓ ସାଇକଲ ଚଲାଇବା ଅଭ୍ୟାସ କରି ନିଜକୁ ସୁସ୍ଥ ରଖିବା ସହ ପରିବାରକୁ ସମାଜକୁ ଏହି ବାର୍ତ୍ତା ପହଞ୍ଚାଇବାକୁ ଓ ଯୁବ ପିଢୀ ପଥଭ୍ରଷ୍ଟ ନ ହେବାକୁ ମାରାଥନ ସ୍କ୍ୱାର୍ଡ ନିବେଦନ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଭିଡିଓ କଲ୍ ଜରିଆରେ ଏହି ମାରାଥନ ଆସୋସିଏସନ୍ କର୍ମକର୍ତ୍ତାଙ୍କୁ ସ୍ଵାଗତ ଶୁଭେଛା ଜଣାଇ ଫିଟ୍ ଇଣ୍ଡିଆ ସଚେତନତା ଯାତ୍ରାର ସଫଳତା କାମନା କରି ଏହି ଅଭିଯାନ ଜାରି ରଖିବାକୁ କହି ଏକ ସୁସ୍ଥ ସୁନ୍ଦର ଜୀବନ ଟିଏ ଜିଇଁବାକୁ ପରାମର୍ଶ କରିଥିଲେ । ଜିଲ୍ଲା କ୍ରୀଡା ସଂଘ, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ସାମ୍ବାଦିକ ସଂଘ, ରମଧୁନ୍ କ୍ଳବ୍, ବସ ମାଲିକ ସଂଘ, ସ୍ଵଚ୍ଛ ଭାରତ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଖେଳ ପ୍ରତି ସ୍ୱାସ୍ଥ୍ୟ ପ୍ରତି ଯୁବକଙ୍କ ଆଗ୍ରହ ତଥା ସଚେତନ ଥିବା ଦେଖି ଓ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉତ୍ସାହ ଏବଂ ଆତିଥ୍ୟ ପାଇଁ ଉପସ୍ଥିତ ସ୍ୱେଛାସେଵୀ, ସାମ୍ୱାଦିକ ଓ ଖେଳାଳୀଙ୍କୁ ଏହି କର୍ମକର୍ତ୍ତା ପ୍ରଶଂସା କରି ଏହା ଆମ ପାଇଁ ପ୍ରେରଣା ବୋଲି କହିଥିଲେ ।