ରାଜ୍ୟପାଳଙ୍କୁ ଭେଟିଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ

  • ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ଭୁବନେଶ୍ୱର, (ପିଆଇବି) : ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଲୋକଭବନଠାରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଓଡ଼ିଶାର ପ୍ରଗତି ଏବଂ ଦେଶର ବିକାଶରେ ରାଜ୍ୟର ଯୋଗଦାନ ବିଷୟରେ ଅବଗତ କରାଇଛନ୍ତି ।
ମତବିନିମୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ଗତ କିଛି ବର୍ଷ ହେବ ଓଡ଼ିଶାର ବିକାଶ ଧାରା ଜାରି ରହିଛି । ଓଡ଼ିଶାର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ଏବଂ ଏହା ରାଜସ୍ୱ ବଳକା ରାଜ୍ୟ ଭାବେ ଦେଶରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରାଜ୍ୟର ବିକାଶରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଓଡ଼ିଶା ଦେଇ ଅତିକ୍ରମ କରିଛି । ରାଜ୍ୟରେ ବର୍ତ୍ତମାନ 1 ଲକ୍ଷ 30 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାଜପଥ ଏବଂ ରେଳ ପ୍ରକଳ୍ପ କାମ ଜାରି ରହିଥିବା ରାଜ୍ୟପାଳ ସୂଚନା ଦେଇଥିଲେ। ନିକଟରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ଏବଂ ଜାତୀୟ ଜଳମାର୍ଗ-୫ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ ।
ରାଜ୍ୟପାଳ ଆହୁରି କହିଥିଲେ, ଓଡ଼ିଶାରେ ସୁଦୀର୍ଘ ଉପକୂଳ ଓ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ରହିଛି । ଏସବୁ ବନ୍ଦରକୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବେଶ୍ ଉନ୍ନତ ରହିଛି। କୋଇଲା, ଲୁହାପଥର, ବକ୍ସାଇଟ, ମାଙ୍ଗାନିଜ, କ୍ରୋମାଇଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ରାଜ୍ୟରେ ପ୍ରଚୁର ମାତ୍ରାରେ ପୂରି ରହିଛି । ଖଣିଜ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଓଡ଼ିଶାରେ ଶିଳ୍ପାୟନ ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି । ଖଣି ଏବଂ ଶିଳ୍ପାୟନରୁ ମିଳୁଥିବା ରାଜସ୍ୱ ଓଡ଼ିଶାର ବିକାଶ କାର୍ଯ୍ୟରେ ବିନିଯୋଗ ହେଉଛି ।
କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ଯଥେଷ୍ଟ ଅଗ୍ରଗତି ହାସଲ କରିଥିବା ରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି, ମିଲେଟ୍ସ ଉତ୍ପାଦନ ଏବଂ ଉପଯୋଗରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ପାଲଟିଛି । କୃଷି କ୍ଷେତ୍ରରେ ପ୍ରଗତି ପାଇଁ ସରକାର ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓଡ଼ିଶାର କଳା ଓ କାରିଗରୀକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ରହିଛି । ରାଜ୍ୟର ସମ୍ବଲପୁରୀ ଶାଢ଼ୀ, ମାଣିଆବନ୍ଧ ଓ ଗଞ୍ଜାମ ଜିଲ୍ଲାର ବୟନ ଶିଳ୍ପ, କୋଟପାଡ଼ ହସ୍ତତନ୍ତ, କଂସା ପିତ୍ତଳ କାର୍ଯ୍ୟ, କଟକର ତାରକସୀ, ପିପିଲି ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ର ସମେତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପର ଦେଶରେ ତଥା ଦେଶ ବାହାରେ ବିଶେଷ ଚାହିଦା ରହିଛି ।
ରାଜଧାନୀ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ଶିକ୍ଷା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭାବେ ବିକଶିତ ହେଉଥିବା ରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି, ଆଇଆଇଟି, ଏମ୍ସ, ନାଇଜର୍ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭଳି ପ୍ରତିଷ୍ଠାନ ଭୁବନେଶ୍ୱର ଉପକଣ୍ଠରେ ଗଢ଼ି ଉଠିଛି । ଏସବୁ ସକାରାତ୍ମକ ପରିବେଶ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରୁଥିବା ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶାର ବିକାଶ ଏବଂ ସ୍ୱତନ୍ତ୍ରତା ବିଷୟରେ ରାଜ୍ୟପାଳଙ୍କ ଠାରୁ ଶୁଣି ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ ବେଶ୍ ପ୍ରଭାବିତ ହୋଇଥିଲେ । ପ୍ରତିନିଧିମାନେ ସେମାନଙ୍କର ଓଡ଼ିଶା ଗସ୍ତର ଅନୁଭୂତି ବିଷୟରେ ରାଜ୍ୟପାଳଙ୍କୁ କହିଥିଲେ । ଏହି ପ୍ରତିନିଧି ଦଳ ସହ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.