ଚଉଦ ବର୍ଷଧରି ଅଭିଶପ୍ତ ଜୀବନ ଯାତ୍ରାରେ ଟିକରାପଡ଼ା ଗାଁ

ଜୟପାଟଣା, (ଶେଷଦେବ ବେହେରା) : ଚାଷକୁ ସର୍ବସ୍ୱ ଭାବି ସାତଟି ପରିବାର ନିଜର ଚାଷ ଜମିର ପରିଧି ମଧ୍ୟରେ ଗାଁ ବସାଇ ଚାଷ କାମରେ ସମର୍ପିତ ହୋଇଗଲେ । ଭାବିଥିଲେ ଗାଁ ମଝିରେ ଯାଇଥିବା କଚା ସଡକର ବିକାଶ ହେବ । କିନ୍ତୁ ଏମାନଙ୍କ ପାଇଁ କଚା ରାସ୍ତାର ବିକାଶ ଘଟିଲା ନାହିଁକି ଗାଁ ର ପ୍ରବେଶ ଦ୍ୱାରରେ ବାଧକ ସାଜି ଆସୁଥିବା ପୂର୍ଣ୍ଣ ଗର୍ଭା ପିପେଲ ଯୋର ଉପରେ ପୋଲ ଖଣ୍ଡିଏ ତିଆରି ହୋଇପାରିଲା ନାହିଁ । ପରନ୍ତୁ ବିକାଶ ଶିଳ ଯୋଜନା ଗୁଡିକ ମଧ୍ୟ ଏହି ମଣିଷମାନଙ୍କୁ ଦୂରେଇ ଦେଲା । ଫଳ ସ୍ୱରୂପ ଗାଁ ଲୋକ ଯୋରର ଜଳ ଶଯ୍ୟା ଉପରେ ଦୁଇଟି କାଠ ଗଣ୍ଡିର ଅଶ୍ରାକରି ଯିବାଆସିବା କରୁଥିବା ଦୃଶ୍ୟ ଗ୍ରାମ୍ୟ ଜୀବନର ବିକାଶ ପ୍ରତି ପ୍ରଶ୍ନ ଉଠାଉ ଥିଲେ ବି ପ୍ରଶାସନର ଏଥିପ୍ରତି ନଜର ନ ଥିବା ଲୋକେ ପ୍ରକାଶ କରନ୍ତି । ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରଜା ନାଗଫେଣି ରାଜସ୍ୱ ଗ୍ରାମର ପରିଧି ମଧ୍ୟରେ ଆସୁଥିବା ସର୍ଗି ଗୁଡ଼ା ଗ୍ରାମ ପଞ୍ଚାୟତର ଅଂଶ ବିଶେଷ ହେଲେବି ବ୍ଲକ ମହକୁମାରୁ ଏମାନଙ୍କ ଦୂରତା ମାତ୍ର ସାତ କିଲୋମିଟର । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ନାମରେ ଭିତ୍ତି ଭୂମିର ବିକାଶ ପାଇଁ ଅନେକ ଅର୍ଥ ଆସୁଥିବା ବେଳେ ଏ ମାନଙ୍କ ପାଇଁ ପିପଲ୍ ଯୋର ଉପରେ ପୋଲ ନିର୍ମାଣ ପାଇଁ ଯୋଜନା କରିଥିଲେ ମଧ୍ୟ ହୋଇପାରି ନଥିବା ଲୋକେ ପ୍ରକାଶ କରନ୍ତି । ଏହି କାଠ ଗଣ୍ଡୀ ଉପରେ ଭରସା କରିଥିବା ଲୋକମାନେ ବର୍ଷ ତମାମ ଯୋର ଆରପଟରେ ନିଜର ମୋଟର ସାଇକେଲମାନଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ବର୍ଷ ତମାମ ଛାଡ଼ି ଦେଇଥିବା ପ୍ରକାଶ କରନ୍ତି । ପୁଣି ବର୍ଷା ଆସିଲେ ଏ ମାନଙ୍କ ଦୁର୍ଦ୍ଦଶା ଦ୍ଵିଗୁଣିତ ହେଇଯାଏ । ଏପରି ପ୍ରତିକୂଳ ଜୀବନ ଯାତ୍ରାକୁ ଚଉଦ ବର୍ଷ ଧରି ଭୋଗି ଆସୁଥିବା ଟିକ୍ରାପଡ଼ା ବାସୀଙ୍କୁ ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ମହକୁମା ପର୍ଯ୍ୟନ୍ତ ଏକ ସବୁଦିନିଆ ସଂଯୋଗ ରାସ୍ତା ନିର୍ମାଣ ପାଇଁ ଏବେ ଗ୍ରାମ ବାସୀ ମୁହଁ ଖୋଲିଛନ୍ତି । ଗାଁ ର ତୁଲାରାମ ବାଣୁଆ, ପରମାନନ୍ଦ ଧଙ୍ଗଡା ମାଝୀ, କମଳା ବାଣୁଆ, ଜୟଚନ୍ଦ୍ର ବାଣୁଆ, ଯୋଗେନ୍ଦ୍ର ବାଣୁଆ, ଅରୁଣ ଧଙ୍ଗଡା ମାଝୀ, କମଳା ବାଣୁଆ, ପଦ୍ମାଇ ବାଣୁଆ, ଯଶୋଦା ଧଙ୍ଗଡା ମାଝୀ ପ୍ରମୁଖ ଗାଁ ବିକାଶ ପାଇଁ ସଂଯୋଗର ଦାବି ଜଣାଇଛନ୍ତି ।

Leave A Reply

Your email address will not be published.