+୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ବର୍ଦ୍ଧିତ ଫି ବୃଦ୍ଧି ପ୍ରତ୍ୟାହାର କର :
ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ଫି ଦୁଇଗୁଣା ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ ଓଡିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ସାରା ଓଡିଶା ପ୍ରତିବାଦ ଅବସରେ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଛାତ୍ରଛାତ୍ରୀଙ୍କ ଚରମ ସ୍ୱାର୍ଥ ବିରୋଧୀ ଫି ବୃଦ୍ଧିକୁ ଆମେ ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏଆଇଡିଏସଓ) ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଦୃଢ ବିରୋଧ କରୁଛୁ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣଙ୍କ ଟିକସ ବିନିମୟରେ ଗଢି ଉଠିଥିବା ରାଜକୋଷରୁ ଶିକ୍ଷାର ସମସ୍ତ ବ୍ୟୟ ଭାର ବହନ କରିବା ହିଁ ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଅଥଚ ସରକାର ନିଜ କର୍ତ୍ତବ୍ୟ ପାଳନରୁ ଓହରିଯାଇ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଫି ବୃଦ୍ଧିର ବୋଝ ଲଦି ଚାଲିଛନ୍ତି । ଏଣୁ, ଏହି ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବିରୋଧି +୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ଫି ବୃଦ୍ଧି ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ଏଆଇଡିଏସଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଦୃଢ ଦାବି କରୁଅଛୁ । ଏହି ପ୍ରତିନିଧି ମଣ୍ଡଳୀରେ ଏଆଇଡିଏସଓ ବଲାଙ୍ଗିର ଜିଲ୍ଲା ସଭାପତି ମଧୁସୂଦନ ବାଗ, ରାଜ୍ୟ ଉପ-ସଭାପତି ସୁନୀଲ କୁମାର ଭୋଇ, ଅନୁପମା ବର୍ଗେଙ୍କ ସହ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.