jayashree

ପଏଁରୀ ତିହାର -୨୦୨୬ ଉଦ୍‌ଘାଟିତ

  • କଳା, ସଂସ୍କୃତିରେ ଭରପୂର ସୁବର୍ଣ୍ଣପୁର ମାଟି : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସ୍ଥାନୀୟ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ୨୬ତମ ପଏଁରୀ ତିହାର-୨୦୨୬ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ, ନୂଆଦିଲ୍ଲୀ ସଂଗୀତ ନାଟକ ଏକାଡେମୀର ମିଳିତ ଅନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ସହ‌ଯୋଗରେ ମହୋତ୍ସବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ସୁବର୍ଣ୍ଣପୁର କଳା, ସଂସ୍କୃତି ଏବଂ ପରମ୍ପରାର ମାଟି । ଅସଲ ଜୀବନଟା ପୁରାତନ ସଂସ୍କୃତିରେ ଅଛି । ଲୁଚି ଯାଉଥିବା କଳା, ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ କରିବା ତଥା ବଞ୍ଚାଇ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ । ଜିଲ୍ଲାରେ କଳାକାର ଭରପୂର ଯାହାକୁ ଦେଖିଲେ ଯେକୌଣସି ଗୋଟିଏ କଳା ତାଙ୍କ ପାଖରେ ଥିବା ପ୍ରକାଶ କରିଥିଲେ ଜିଲ୍ଲାପାଳ ଏବଂ ଦୀର୍ଘ ୪୨ ବର୍ଷ ପରେ ଶ୍ରୀ ଗୋପାଳଜୀ ମହାପ୍ରଭୁ ଫେରିବାର ଚମତ୍କାର ଅନୁଭୂତି କହି ଏହା ହିଁ ଏହି ଦିବ୍ୟ ମାଟିର ମହକ ବୋଲି କହିଥିଲେ । ସମ୍ମାନିତ ଅତିଥ୍ ଭାବେ ଏସପି ନାରାୟଣ ନାୟକ ଯୋଗଦେଇ ପରମ୍ପାରିକ ଲୋକନୃତ୍ୟ, ଲୋକ ସଂଗୀତକୁ ବଞ୍ଚାଇ ରଖିବା ପାଇଁ ପଏଁରୀର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ନାଟଶ୍ରୀ ଗଦାଧର ବାରିକ, ମମତା ଫେସନର ପ୍ରତିଷ୍ଠାତା ମମତା ଦାଶ, ଉପଦେଷ୍ଟା ତ‌ଥା ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଲିକ, ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର, ଅଭିମନ୍ୟୁ କୁଶଳ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାର ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେହି ଅବସରରେ ପଣ୍ଡକିଟାଲ, ବଲେନପାଲିର କଳାକାର ସଦାନନ୍ଦ ମାଝି, ମହାଦେବ ବେହେରାଙ୍କୁ ପଏଁରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଯୁବ ବାନ୍ଧଶିଳ୍ପୀ ଶ୍ୟାମସୁନ୍ଦର ମେହେର, ସିନେ ଅଭିନେତା ପ୍ରମୋଦ କୁମାର ମିଶ୍ର ଏବଂ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା । ସଭା ପରେ ପଏଁରୀ ଅନୁଷ୍ଠାନର ଲୋକ ନୃତ୍ୟ, ହରିଆଣାର ଲୋକନୃତ୍ୟ ଘୁମୁର ପରେ ପରେ ମୟୂରଭଞ୍ଜର ଛଉ, ବୀରହାରାଜପୁରର ଭୀମଭୋଇ କଳାନିକେତନର ସଜନୀ ଲୋକନୃତ୍ୟ, ମମତା ଡୋରୀ ଦ୍ୱାରା ଫେସନ ସୋ’ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଆଜି ସକାଳୁ ମା’ ସୁରେଶ୍ଵରୀଙ୍କ ମନ୍ଦିରରୁ ସାଂସ୍କୃତିକ ଦଳ ସହ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ଥିବା ମଞ୍ଚରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ଉତ୍ସବର ଶୁଭାରମ୍ଭ କରଯାଇଥିଲା ।

Leave A Reply

Your email address will not be published.