ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲାର ୫ମ ବାର୍ଷିକ ଉତ୍ସବ ଅବସରରେ ରାୟଗଡ଼ା ଉପକଣ୍ଠ କୋତାପେଟା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ବୃଦ୍ଧାଶ୍ରମ ଠାରେ ୫୦ଜଣ ଅନ୍ତେବାସୀଙ୍କ ଗହଣରେ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଦୁଇଟି ସୋପାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସୋପାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଲା ଅତିରିକ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦେବରାଜ ଟାକ୍ରି ଯୋଗ ଦେଇଥିଲେ । ପ୍ରେସ ୟୁନିୟନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଫୋଟ ସ୍ମାରକୀ ଉପହାର ଭାବେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲା ପରାମର୍ଶ ଦାତା ତଥା ସାମ୍ବାଦିକ ଶିବ ନାରାୟଣ ଗୌଡ ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗତ ୨୦୨୦ମସିହାରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଗଠନ ହୋଇଥିଲା । ବହୁ ବାଧାବିଘ୍ନକୁ ସମ୍ମୁଖୀନ କରି ୟୁନିୟନର ସମସ୍ତ ବୃତ୍ତିଗତ ସାମ୍ବାଦକି ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସାମାଜିକ ଅଧିକାର, ସାମାଜିକ କାର୍ଯ୍ୟକ୍ରମ ଓ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ୟୁନିୟନ ପକ୍ଷରୁ ବିଭିନ୍ନ ସମୟରେ କରାଯାଇଥିବା ଅନେକ କାର୍ଯ୍ୟକ୍ରମ ବିଷୟରେ ସଭାପତି ଶ୍ରୀ ସୂର୍ଯ୍ୟ ଆଲୋକପାତ କରିଥିଲେ । ସେହିପରି ୟୁନିୟନର ସାଧାରଣ ସଂପାଦକ ବିଜୟ କୁମାର ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଙ୍ଘର ଉପସଭାପତି ଶ୍ରୀନିବାସ ମହାପାତ୍ର ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝି ପଂଚତତ୍ତ୍ୱ ବିଷୟରେ ଆଲୋକପାତ କରିବା ସହ ଅନ୍ତେବାସୀମାନଙ୍କୁ ସମସ୍ତ ଦୁଃଖକଷ୍ଟ ଭୁଲି ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ୫ମ ବାର୍ଷିକ ଉତ୍ସବ ପାଳନରେ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟ ବସ୍ତୁ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।