ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଥିବା ଲକ୍ଷ୍ମୀଗଣପତି ଏଚ୍ପି ପେଟ୍ରୋଲ ପମ୍ପରେ ତାଲା ପକାଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମଙ୍ଗଳବାର ଦିନ ସମ୍ବଲପୁର ଡିଭିଜନରୁ କିଛି ପେଟ୍ରୋଲିୟମ ବିଭାଗୀୟ ଅଧିକାରୀମାନେ କଲ୍ୟାଣସିଂହପୁର ସଦରକୁ ଆସି ଏଠାରେ ଥିବା ଲକ୍ଷ୍ମୀଗଣପତି ଏଚ୍ପି ପେଟ୍ରୋଲ ପମ୍ପର ତଦନ୍ତ କରିଥିଲେ । ଏକ ଲିଟର ପରିବର୍ତ୍ତେ ୯୦୦ ଏମଏଲ ପେଟ୍ରୋଲ ଗ୍ରାହକଙ୍କୁ ଦିଆଯାଉଥିବା ଜଣାପଡିଥିଲା । ଏହାକୁ ନେଇ ପମ୍ପର ସମସ୍ତ ନଥିପତ୍ର ଯାଞ୍ଚ ପରେ ପେଟ୍ରୋଲ ପମ୍ପରେ ତାଲା ପକାଯାଇଥିବା ସୂଚନାମିଳିଛି । ଏ ସମ୍ପର୍କରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାଗଜ ପତ୍ର ଠିକ ନଥିବାରୁ ପେଟ୍ରୋଲ ପମ୍ପରେ ତାଲା ପକାଇଛନ୍ତି । ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଚାରିବାରୁ ଆମେ ଡ୍ରେସ କୋଡ଼ ପିନ୍ଧି ନଥିବା ଅଭିଯୋଗ ହୋଇଥିବାରୁ ତାଲା ପକାଯାଇଥିବା କହିଛନ୍ତି । କର୍ମଚାରୀଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ପେଟ୍ରୋଲିୟମ ବିଭାଗ କର୍ମଚାରୀଙ୍କୁ ଲାଞ୍ଚ ଦେଉଥିବା ମଧ୍ୟ ସାଧାରଣରେ ଚର୍ଚ୍ଚାହେଉଛି । କେଉଁ କାରଣରୁ ଲକ୍ଷ୍ମୀଗଣପତି ଏଚ୍ପି ପେଟ୍ରୋଲ ପମ୍ପରେ ତାଲା ପଡିଛି, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏସମ୍ପର୍କରେ ସିଏସଓ ଦାଶରଥି ସୋରେନଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କଲ୍ୟାଣସିଂହପୁରରେ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ଗ୍ରାହକମାନେ ପେଟ୍ରୋଲ ନପାଇ ନାହିଁ ନ ଥିବା ହଇରାଣ ହେଉଥିବା ଆଲୋଚନା ହେଉଛି ।