ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ରେଳ ମଣ୍ଡଳର ଡିଆର୍ଏମ୍ଙ୍କୁ କ୍ଷେତରାଜପୁରର କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟିଥିଲେ । ସଂଘର ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥାପନ କରାଯାଇ ଏକ ଦାବିପତ୍ର ଦିଆଯାଇଥିଲା । ବଲାଙ୍ଗିରରେ ଶିଘ୍ର ପିଆଇଟି ଲାଇନ କରିବା, ଭୁବନେଶ୍ୱରକୁ ଯିବା ଆସିବା କଲା ପରି ଏକ ସକାଳୁଆ ଟ୍ରେନ, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ଇସ୍ପାତ ଟ୍ରେନର ବିଳମ୍ବ, ଟିଟିଲାଗଡରୁ ସମ୍ବଲପୁର ପର୍ଯ୍ୟନ୍ତ ଦୁଇଟି ଲାଇନ, ବଲାଙ୍ଗିର ଠାରେ ୪ ଏବଂ ୫ ନମ୍ବର ପ୍ଲାଟଫର୍ମ କରିବା, ଲିଫ୍ଟ କାମକୁ ତ୍ୱରାନ୍ୱିତ କରିବା, ଏଡିଆର୍ଏମ୍ ଅଫିସ ପ୍ରତିଷ୍ଠା କରିବା, ବଲାଙ୍ଗିରରୁ ପୁନାକୁ ଏକ ସିଧାସଳଖ ଟ୍ରେନ, ପୁରୀକୁ ଏକ ଫାଷ୍ଟ ପେସେଞ୍ଜର ଇତ୍ୟାଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା । ସଂପାଦକ ବିମଲ ଚକ୍ରବର୍ତ୍ତି, ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ, ଅଧିବକ୍ତା ଋତୁରାଜ ସିଂହ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ସମସ୍ତ କଥା ଶୁଣି ଡିଆର୍ଏମ୍ ଏଫ୍ଓଭି କାମ ସରିଲା ପରେ ଲିଫ୍ଟର କାମ ୨୬ ମାର୍ଚ୍ଚ ସୁଦ୍ଧା ସରିବ, ପିଆଇଟି ଲାଇନ ପାଇଁ ପାଣିର ଅଭାବ, ନୂତନ ଟ୍ରେନ ପାଇଁ ବୋର୍ଡରୁ ଅନୁମୋଦନ ଦରକାର ବୋଲି ଦର୍ଶାଇଥିଲେ । ମାତ୍ର ସଭ୍ୟମାନେ ଡିପ୍ ବୋରୱେଲ କରି, ପିଏଚ୍ଡି ପାଣିର ସପ୍ଲାଏ ଓ ଓଭରହେଡ୍ ଟ୍ୟାଙ୍କ ଥିବାରୁ ପାଣିର ସମସ୍ୟା ହେବ ନାହିଁ ବୋଲି ଦର୍ଶାଇଥିଲେ । ସର୍ଭେ କାମ ସରିଲେ ରିପୋର୍ଟ ପଠାଇବେ ବୋଲି ଡିଆର୍ଏମ୍ କହିଥିଲେ । ପାଣିର ସମସ୍ୟା ଦେଖାଇ ବଲାଙ୍ଗିରରେ ପିଆଇଟି ଲାଇନ ହେବ ନାହିଁ ବୋଲି ସଭ୍ୟମାନେ ଆଶଂକା ପ୍ରକାଶ କରିଛନ୍ତି । ଏକ ସ୍ୱହାର୍ଦ୍ଧପୂର୍ଣ୍ଣ ବାତାବରଣରେ ସାକ୍ଷାତକାର ସମାପ୍ତ ହୋଇଥିଲା ।
Next Post