ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଅନୁଷ୍ଠିତ

  • ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସଦଭାବନା ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଅବସରପ୍ରାପ୍ତ ଅଧ୍ୟକ୍ଷ ଚିରବ୍ରତ ଦତ୍ତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ନୂତନ ଖମାରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ବାଜପେୟୀଜୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଜୀବନୀ ଉପରେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ସୁଶାସନ ଦିବସର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ବାଜପେୟୀଜୀଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଜୀବନଶୈଳୀ, ତାଙ୍କର ରାଜନୈତିକ ଜୀବନୀ, ତାଙ୍କ କାର୍ଯ୍ୟଶୈଳୀ, ତାଙ୍କର ମହାନ୍ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଯୁବପିଢି ମାନେ ତାଙ୍କର ସେହି ମହାନ୍ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀ ଖମାରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ, ତାଙ୍କର ରାଜନୀତିକ ନୀତି ଓ ଆଦର୍ଶ ଯଥା ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା, ଲୋକମୁଖୀ ଶାସନ ବ୍ୟବସ୍ଥା, ନୀତିମୂଳକ ନେତୃତ୍ୱ, ରାଷ୍ଟ୍ରହିତ ଓ ରାଷ୍ଟ୍ର ସୁରକ୍ଷା ଏବଂ ତାଙ୍କର ସାହିତ୍ୟ ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଗାଳ୍ପିକା ଡ଼. ସୁପ୍ରିୟା ପାଲ, କବି ଗଣେଶ ତ୍ରିପାଠୀ ଏବଂ ଯୁବ ଗାଳ୍ପିକା ଲୋପାମୁଦ୍ରା ମିଶ୍ରଙ୍କ ସଂଯୋଜନାରେ ବର୍ଣ୍ଣାଢ଼୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା ଏବଂ କବିମାନେ ନିଜ ନିଜର କବିତା ପାଠ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବାଜପେୟୀଜୀଙ୍କ ଜୀବନୀ ଏବଂ ସୁଶାସନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସେହିଭଳି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଶ୍ଵ ରଞ୍ଜନ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କବି, ଲେଖକ, ଗାଳ୍ପିକ,ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.