csstore

ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

  • କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀମତୀ ଶୁଭା ଶର୍ମା, ଭା. ପ୍ର.ସେ. ୩ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ଜନ କଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ଅନୁଧ୍ୟାନ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ତା’ଙ୍କ ସହିତ ଜିଲ୍ଲାପାଳ ହେମକାନ୍ତ ସୟ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଶ୍ରୀମତୀ ଶର୍ମା ପ୍ରଥମେ ଯଶିପୁର ବ୍ଲକ ଅଧିନସ୍ଥ ସାତକୋଶିଆ ଜି ପି ର ଘୁଲଘୁଳିଆ ଅଙ୍ଗନବାଡିଠାରେ ପୋଷଣ ଯତ୍ନ କେନ୍ଦ୍ର, ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାର ସମୀକ୍ଷା କରିଥିଲେ । କରଞ୍ଜିଆ ଠାରେ ବିଶ୍ୱବନ୍ଧୁ ସେବକ ସଙ୍ଘ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ର ଯାଇ ଏହାର ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଯଶିପୁର ଠାରେ ବିଭିନ୍ନ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ଖାଇବା ଓ ନିବାସରେ ରହଣି ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିବା ସହିତ ପିଲାମାନଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଯଶିପୁର ମେଗା ଜଳ ଯୋଗାଣରେ ଜଳ ବିଶୋଧନ କେନ୍ଦ୍ର ଅଂଚଳ ନିରୀକ୍ଷଣ କରିଥିଲେ । ଏହାପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଯାଇ ଛାତ୍ରୀ ଓ ଅଧ୍ୟାପକମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ରାଇରଙ୍ଗପୁର ସହର ୱାର୍ଡ ନମ୍ବର ୧୫ ସ୍ଥିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏଗ୍ରୋ ସର୍ଭିସ ସେଣ୍ଟର ଦେଖିଥିଲେ ଏବଂ ପି ଏମ କିଷାନର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ କୃଷକ ପଞ୍ଜିକରଣ ଶିବିର ଅନୁଧ୍ୟାନ କରିଥିଲେ । ସେଠାରୁ ପୁରୁଣାପାଣି ଜି ପି ଅଫିସରେ କୃଷକ ପଞ୍ଜିକରଣ ଶିବିରରେ ପି ଏମ କିଷାନ ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ତାଳବନ୍ଧ ଗ୍ରାମରେ ସୋଲାର ବୋରୱେଲ ଦେଖିଥିଲେ । ଏହାପରେ ରାଇରଙ୍ଗପୁର ପୌରାଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଡ୍ରିଙ୍କ ଫ୍ରମ ଟେପ ପ୍ରକଳ୍ପର କାର୍ଯ୍ୟକାରିତାର ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କ ସହ ଭାବ ବିନିମୟ କରି ଠିକ ଭାବେ ଜଳ ଯୋଗାଣ କାର୍ଯ୍ୟ ସମ୍ପାଦନ ହେଉଛି କି ନାହିଁ ପଚାରି ବୁଝିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସ୍ଥିତି ଓ ଉନ୍ନୟନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ସୁଚାରୁ ବଳ, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା କ୍ରମରେ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଵୟୋବନ୍ଦନା ଯୋଜନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଅନ୍ତ୍ୟୋଦୟ ଗୃହ ଯୋଜନା, ନଗର ଉନ୍ନୟନ ବିଭାଗ ଅଧିନସ୍ଥ ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସେତୁ ବନ୍ଧନ ଯୋଜନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପଞ୍ଚସଖା ସେତୁ, ପିଏମଶ୍ରୀ ଯୋଜନା, କୃଷି ବିଭାଗର ପି ଏମ କିଷାନ, ସି ଏମ କିଷାନ, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା, ପୋଷଣ ଯୋଜନା, କାର୍ଯ୍ୟ କ୍ଷେତ୍ରରେ ମହିଳା ଯୌନ ନିର୍ୟାତନା ନିରୋଧ, ବାଲ୍ୟ ବିବାହ ନିରୋଧ, ପକ୍ସ ଆଇନ, ପାରିବାରିକ ମହିଳା ହିଂସା ନିରୋଧ, ଯୌତୁକ ନିର୍ଯ୍ୟାତନା, ଲିଙ୍ଗଗତ ହିଂସା ନିରୋଧ, ସାଧାରଣ ଯୋଗାଣ ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା, ନୂତନ ରାସନ କାର୍ଡ ବଣ୍ଟନ, ସାମାଜିକ ସୁରକ୍ଷା ବିଭାଗର ଭିନ୍ନକ୍ଷମ ଭତ୍ତା ଏବଂ ଆନୁସଙ୍ଗିକ ସହାୟତା ପ୍ରଦାନ, ମଧୁବାବୁ ପେନସନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ଆଇ ଟି ଡି ଏ, ମଙ୍ଗଳ, ପର୍ଯ୍ୟଟନ, କ୍ରୀଡା, ବିଭାଗ ଇତ୍ୟାଦିରେ ଚାଲିଥିବା ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଜି ରାଇରଙ୍ଗପୁର ଠାରେ ରାତ୍ରି ଯାପନ ପରେ ଆସନ୍ତା କାଲି ଶ୍ରୀମତୀ ଶର୍ମା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଯିବାର କାର୍ଯ୍ୟକ୍ରମ ରହିଛି ।

jayashree
Leave A Reply

Your email address will not be published.