ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଡାହାର ରୋଡ ସ୍ଥିତ ଇଣ୍ଡୋ ଇଂଲିଶ ସ୍କୁଲ ଠାରେ ବାର୍ଷିକ ବିଜ୍ଞାନ ମେଳା କଳ୍ପନା ଚାୱଲା ମାଇନ୍ସ କ୍ଲବ ଦ୍ଵାରା ଡିସକଭରୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ, ଅଧ୍ୟକ୍ଷ ଡ. କେ. ବିଶ୍ୱନାଥ ଓ ସମ୍ପାଦକ କାଞ୍ଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ମେଳାରେ ଏନ୍ଆଇଟିର ଡିନ୍ ପ୍ରଫେସର ଅଶୋକ କୁମାର ତୁରୁକ ମୁଖ୍ୟ ଅତିଥି ଓ ଉଦିତନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ ସମ୍ମାନିତ ଅତିଥି ଯୋଗଦେଇଥିଲେ । ଅତିଥିମାନେ ଏହି ମେଳା ଦେଖି ଖୁସିହେବ । ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତିଥିବା ଆକର୍ଷଣ ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହା ସେମାନଙ୍କ ବୌଦ୍ଧିକ ବିକାଶ ଓ ଆଭ୍ୟନ୍ତରୀଣ ଶକ୍ତିର ବୃଦ୍ଧି କରିବ ବୋଲି ମତ ରଖିଥିଲେ । ଏହି ବିଜ୍ଞାନ ମେଳାରେ ସ୍କୁଲର ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ୯୪ଟି ପ୍ରୋଜେକ୍ଟ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଡ. ଶୁଭଜ୍ୟୋତି ମହାପାତ୍ର, ଡ. ପ୍ରିୟରଞ୍ଜନ ବେହେରା, ୪ ଜଣ ଏନ୍ଆଇଟିର ରିସର୍ଚ୍ଚ ସ୍କଲାର ଓ ୪ ଜଣ ବିଟେକ୍ ଛାତ୍ର ପ୍ରୋଜେକ୍ଟ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ଏହି ବିଜ୍ଞାନ ମେଳାକୁ ଭାରତ ସରକାରଙ୍କ ଇଣ୍ଡିଆନ ନଲେଜ ସିଷ୍ଟମକୁ ସମର୍ପିତ କରାଯାଇଥିଲା । ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ରତ୍ନା ବାନାର୍ଜୀ ଓ ସ୍ମୃତି ରଂଜନ ସାହୁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ଵ ତୁଲାଇଥିଲେ । ବହୁ ସଂଖ୍ୟାରେ ଅତିଥି, ଅଭିଭାବକ ଏହାକୁ ଦେଖିବା ସହ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏହି ମେଳା ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।