ମିଳିତ କୃଷକ ମଂଚ ପକ୍ଷରୁ ଆସନ୍ତା ୨୪ ତାରିଖରେ ବିଭିନ୍ନ ଜିଲ୍ଲା ପକ୍ଷରୁ ଧାନ ବିକ୍ରିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ଚାଷୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟ ସରକାର ଧାନ କିଣାକୁ ନେଇ କୌଣସି ପ୍ରକାରର ସୁବିଧା କରି ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ୪ ଜିଲ୍ଲାର ଚାଷୀ । ଗତ ୧୪ ତାରିଖରେ ବଲାଙ୍ଗିର ସହରର ଏକ ହୋଟେଲରେ କୋଶଳି କିଷାନ ସଭା ପକ୍ଷରୁ ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ର ଧାନ କିଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନି କରିଥିଲେ । ଏବଂ ସାରା ପଶ୍ଚିମ ଓଡିଶାର ସମସ୍ତ ଚାଷୀ ସଂଗଠନ ଏକ ହୋଇ ଆନ୍ଦୋଳନ କରିବାକୁ ଡାକରା ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଘୋଷଣା ନ କରିବାରୁ ମିଳିତ କୃଷକ ମଂଚର ଆବାହକତ୍ୱରେ ଆସନ୍ତା ୨୪ ତାରିଖ ଦିନ ୪ ଗୋଟି ଜିଲ୍ଲାର ଚାଷୀ ସଂଗଠନ ମିଳିତ ଭାବରେ ନିଜନିଜ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସି ପ୍ରତିବାଦ କରିବାକୁ ନିଷ୍ପତି ହୋଇଅଛି । ବର୍ତ୍ତମାନ ମଧ୍ୟ ବିଭିନ୍ନ ମଣ୍ଡି ତଥା ଧାନ ଖଳାରେ ଚାଷୀମାନଙ୍କର ଧାନ ପଡିରହିଥିବାର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ତଥା ସରକାର ଏହା ପ୍ରତିଧ୍ୟାନ ଦେଉନାହାନ୍ତି । ତଥା ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ କରିପାରି ନାହାନ୍ତି । ଏହି ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ମିଳିତ କୃଷକ ମଂଚର ଆବାହକତ୍ୱରେ, ସୋନପୁର ଜିଲ୍ଲାର ସମସ୍ତ ଚାଷୀ ସଂଗଠନ ବୈକୁଣ୍ଠ ଶତପଥୀଙ୍କ ଆବାହକତ୍ୱରେ, କଳାହାଣ୍ଡି ଜିଲ୍ଲାର ସମସ୍ତ ଚାଷୀ ସଂଗଠନ ସୁରେଶ ରାଓଙ୍କ ଆବାହକତ୍ୱରେ, ନୂଆପଡା ଜିଲ୍ଲାର ସମସ୍ତ ଚାଷୀ ସଂଗଠନ କମଲ ଚରଣ ତାଣ୍ଡିଙ୍କ ଆବାହକତ୍ୱରେ ଆସନ୍ତା ୨୪ ତାରିଖରେ ୪ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ନିଷ୍ପତି ନିଆଯାଇଥିବାର ମିଳିତ କୃଷକ ମଂଚର ଆବାହକ ଆକାଶ ମିଶ୍ର ଓ ଜିଲ୍ଲା କୃଷକ ମହାସଂଘର ଉପସଭାପତି ସୌମେନ୍ଦ୍ର ପରିଚ୍ଛା ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ସମସ୍ତ ଚାଷୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.