ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ନବନିର୍ମିତ ବିଗ୍ରହ ଓ ମା’ ରାମଚଣ୍ଡୀଙ୍କ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ଖୁବ୍ ହର୍ଷ ଉଲ୍ଲାସ, ଉତ୍ସାହ ଉଦ୍ଦୀପନା ମଧ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ନବନିର୍ମିତ ମନ୍ଦିରର ନିର୍ମାଣ ଶୈଳୀ, ବିଗ୍ରହ ସ୍ଥାପନା କ୍ଷେତ୍ରରେ ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ମହତ୍ୱପୂର୍ଣ୍ଣ ଅବଦାନ ବହନ କରିଛି । ସେଭଳି କୃତ୍ତିତ୍ଵ ସମ୍ପନ୍ନ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଠାରେ ଆୟୋଜିତ “ସମୃଦ୍ଧି ଓଡିଶା” ତରଫରୁ ସ୍ଵ-ନକ୍ଷତ୍ର ଉତ୍ସବ ଅବସରରେ ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସ୍ଥାପତ୍ୟ ରତ୍ନ ସମ୍ମାନରେ ପଣ୍ଡିତ ବିଜୟ କୁମାର୍ ତ୍ରିପାଠୀ ସମ୍ମାନିତ ହୋଇଥିବା ନେଇ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି ଓ ପୂଜା କମିଟି ପକ୍ଷରୁ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଖବର ପ୍ରତିଷ୍ଠାନ ସଂସ୍ଥା “ସମୃଦ୍ଧି ଓଡିଶା” ତରଫରୁ ଭୁବନେଶ୍ୱର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରତିଷ୍ଠାନର ସ୍ଵ-ନକ୍ଷତ୍ର ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବ ମହାସମାରୋହରେ ସମାହିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ବିଧାୟକ ବାବୁ ସିଂ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଭୁବନେଶ୍ୱର ସାଂସଦ ଡ଼ଃ. ପ୍ରସନ୍ନ ପାଟ୍ଟସାଣୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ସାରା ଓଡିଶାର କଳା ପ୍ରେମୀ ଓ ମନ୍ଦିର ସ୍ଥପତି ମାନଙ୍କୁ ନିମନ୍ତ୍ରିତ କରାଯାଇ ପୁରସ୍କୃତ କରାଯାଇଛି । ସମୃଦ୍ଧ ଓଡ଼ିଶା ଗଠନରେ କଳା, ଛାନ୍ଦ, ମୂର୍ତ୍ତି କଳା ତଥା ସ୍ଥାପତ୍ୟର ପୁନରୁଦ୍ଧାର କ୍ଷେତ୍ରରେ ଅଦ୍ଭୂତ କୃତ୍ତିତ୍ଵ ଅବଦାନ ପାଇଁ ତଥା ପୁରାତନ ପ୍ରାସାଦର ସଂରଚନା ଉପରେ ଲୁପ୍ତ ଶାସ୍ତ୍ରର ପୁନରୁଦ୍ଧାର ଦିଗରେ ଅଗ୍ରଣୀ କାର୍ଯ୍ୟ ପାଇଁ ବିସ୍ତୃତ ରୂପେ ଗବେଷଣା କରି ସ୍ଥାପତ୍ୟ କ୍ଷେତ୍ରରେ ସାରା ଓଡିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିରର ସ୍ଥପତି ପଣ୍ଡିତ ବିଜୟ କୁମାର୍ ତ୍ରିପାଠୀଙ୍କୁ ସ୍ଥାପତ୍ୟ ରତ୍ନ ସମ୍ମାନରେ ଭୂଷିତ କରାଯାଇଛି । ଏହା ଯେ,ଗଞ୍ଜାମ ଜିଲ୍ଲା ଓ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠ ପାଇଁ ଏକ ଗୌରବର କଥା ହୋଇଛି । ତେଣୁ ମା’ ରାମଚଣ୍ଡୀଙ୍କ ଅଗଣିତ ଭକ୍ତ, ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ଓ ପରିଚାଳନା କମିଟି ତରଫରୁ ତାହାଙ୍କୁ ଭୂରିଭୂରି ପ୍ରସଂଶା କରାଯାଇଛି ।
Next Post