ଜାତୀୟ ରାଜପଥରେ ଦୁର୍ଘଟଣା : ଚାଲିଗଲା ଯୁବନେତାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଭୟାବହ ଦୁର୍ଘଟଣା । ବଲାଙ୍ଗିର-ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଯୁବ ନେତା ଜଣକ ହେଲେ ବଇଁରାସର ଗାଁର ସୂର୍ଯ୍ୟ ନାୟକ । ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି ପୁଇଁନ୍ତଲା ଥାନା ଅନ୍ତର୍ଗତ ଭଦ୍ରାପାଲି ଛକ ରାସ୍ତାକଡ଼ରେ । ଭଦ୍ରା ପାଲି ନିକଟ ରାଜରାସ୍ତା କଡ଼ରେ ବେଆଇନ୍ ଭାବେ ପାର୍କିଂ ହୋଇଥିବା ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ନେଇଗଲା ନିରୀହ ଜୀବନ । ସେହି ଦୁର୍ଭାଗ୍ୟଜନକ ରାତ୍ରିରେ ଜଣେ ସମାଜସେବୀ ତଥା ବିଜେପିର ସକ୍ରିୟ ଯୁବନେତା କାର୍ଯ୍ୟକର୍ତ୍ତା ସୂର୍ଯ୍ୟ ନାରାୟଣ ନାୟକ ବାୟସ (୩୫)ଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ପଟୁ ସୂର୍ଯ୍ୟ ଘରକୁ ଯାଉଥିବା ବେଳେ ହଠାତ୍ ଅନ୍ଧାର ମଧ୍ୟରେ ଦେଖା ପଡ଼ିନଥିଲା ଭଦ୍ରାପାଲି ଛକ ନିକଟ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ି । ଫଳରେ ସୂର୍ଯ୍ୟଙ୍କ ବାଇକ ଗାଡ଼ି ସହ ଜୋରଦାର ଧକ୍କା ଲାଗିଥିଲା । ଘଟଣା ସ୍ଥଳରେ ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ । ସେହି ଦୁର୍ଘଟଣାର ଶଦ୍ଦ ଏତେ ଭାରଙ୍କର ଥିଲା ଯେ, ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ଲୋକେ ସୂର୍ଯ୍ୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ତାଙ୍କର ପ୍ରାଣ ରକ୍ଷା ହୋଇପାରିଲା ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଛି । ସୂର୍ଯ୍ୟଙ୍କ ମୃତ୍ୟୁ ମୃତ୍ୟୁବରଣ କଲେ ପଛରେ ରହିଗଲେ ୩ ବର୍ଷର ଏକ ଛୋଟ ଶିଶୁ ଓ ଶୋକାକୁଳ ପରିବାର । ଅନ୍ଧାର ରାତ୍ରିର ଏହି ଲୋମହର୍ଷଣକାରୀ ଘଟଣା ଏବେ ସମଗ୍ର ଅଞ୍ଚଳକୁ ନିଶବ୍ଦ କରିଦେଇଛି । ଘଟଣାକୁ ନେଇ ପୂଇଁନ୍ତଲା ପୋଲିସ୍ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.