ହାତୀ ଠାରୁ ସୁରକ୍ଷିତ ରହିବା ନେଇ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ହାତୀ ଠାରୁ ସୁରକ୍ଷିତ ରହିବା ନେଇ ସଚେତନତା କାର୍ଯ୍ୟକ୍ରମ କୁଆଁରମୁଣ୍ଡା ରେଞ୍ଜରେ ଗତକାଲି ଓ ଆଜି ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଡ଼ିଏଫ୍‌ଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କଳୁଙ୍ଗା ହାଟ, ବିରକେରା ହାଟ, ଡିସ୍କୋ ଛକ, କୁଆଁରମୁଣ୍ଡା ହାଟ, କଚାରୁ ହାଟ, ବେଦବ୍ୟାସ ଛକ ପ୍ରଭୃତି ସ୍ଥାନରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥି ସହ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । କୁଆଁରମୁଣ୍ଡା ରେଞ୍ଜର ପଞ୍ଚନାରାୟଣ ସରାଫ, କଲୁଙ୍ଗା ଫରେଷ୍ଟର ଜୟନାରାୟଣ ପ୍ରଧାନ, ସସ୍ମିତା କେରକେଟା, କୁଆଁରମୁଣ୍ଡା ଫରେଷ୍ଟର ଏଚ୍‌.ସି. ଜେନା, କଚାରୁ ଫରେଷ୍ଟର ରୀନା ମହାନନ୍ଦିଆ, ଫରେଷ୍ଟ ଗାର୍ଡ ଚିନ୍ମୟୀ ସାମଲ, ବିରକେରା ଫରେଷ୍ଟ ଗାର୍ଡ ମଧୁସ୍ମିତା ସେନାପତି, ସଂଗ୍ରାମ ବାରିକ, ସ୍କ୍ୱାର୍ଡ, ଗଜସାଥି ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ । ବିଶେଷ କରି ଭୋର ସମୟରେ ଶୌଚ କିମ୍ୱା ବାହାରକୁ ଯାଉଥିବା ବେଳେ ମହିଳା ଓ ବ୍ୟକ୍ତି ବିଶେଷ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରୁଥିବାର ନଜିର ଥିବାରୁ ଏଥିପ୍ରତି ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା । ୱାଇ.ଏମ୍‌.ଏଫ୍‌.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ରଚିତ ଓ ତତ୍ୱାବଧାନରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାତ୍‌ର୍ତ୍ତା ପ୍ରଦାନ କରିଥିଲେ କଳାକାର ବୃନ୍ଦ । ହାତୀ ଦାଉରୁ ଧନ ଜୀବନ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା । ଅନ୍ଧାରୁଆ ଓ ଭୋର ସମୟରେ ଶୌଚ ପାଇଁ ପଦାକୁ ଗଲେ ସତର୍କତା ଅବଲମ୍ବନ କରିବା । ହାତୀ ଜନବସତି ମୁହାଁ ହେଲେ ତା ସମ୍ମୁଖକୁ ନଯିବା, ତାକୁ ଆକ୍ରମଣ ନକରିବା, ହାତୀକୁ ବିଚାଳିତ ନକରି ବନ ବିଭାଗକୁ ସୂଚନା ଦେବା, ହାତୀ ଯୋଗୁଁ ଧନ ଜୀବନ କ୍ଷତି ହେଲେ ଏଥି ପାଇଁ ରହିଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଚାଷୀ ଓ ଗ୍ରାମବାସୀମାନେ ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ଭାବେ ସୌର ବାଡ଼ ନିର୍ମାଣ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କ ରେ ମଧ୍ୟ ଅବଗତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.