ଭବାନୀପାଟଣା, (କେପିଏନ୍ଏସ୍) : ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ସ୍କୁଲ ଓ ହଷ୍ଟେଲ ପାଇଁ ହୋଇଥିବା ବେଡସିଟ୍, ଗଦା ଓ ଶଯ୍ୟା କିଣାରେ ଦୁର୍ନୀତି ଓ ଅନିୟମିତା ଅଭିଯୋଗ ହୋଇଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସିଧାସଳଖ ନିରୀକ୍ଷଣରେ ନିମ୍ନମାନର ସାମଗ୍ରୀ ଯୋଗାଣ ହୋଇଥିବା ଓ ଚଢାଦରରେ ବିଲ୍ ଉଠାଣ ହୋଇଥିବା ଦର୍ଶାଇ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଜିଲ୍ଲାପାଳ ସଚିନ ପାୱାରଙ୍କୁ ସାକ୍ଷାତ କରି ଏହାର ତୁରନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସକାଶେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ଷ ୨୦୨୪-୨୫ ପାଇଁ ୧୭୭୩ ଖଣ୍ଡ ଗଦା ଏବଂ ୧୫ ହଜାର ବେଡସିଟ୍ ଓଡିଶା ଗ୍ରାହକ ସମବାୟ ଫେଡେରେସନ୍ ଲିମିଟେଡ୍ ଜରିଆରେ ପ୍ରାୟ ୧ କୋଟି ୧୬ ଲକ୍ଷ ୫୫ ହଜାର ୧୩୨ ଟଙ୍କା ପାଣ୍ଠି ୱାର୍କ ଅଡର ଦିଆଯାଇ ସପ୍ଲାଏ କରାଯାଇଥିଲା ।ପ୍ରତ୍ୟେକ ଗଦି ପିଛା ୨୯୫୫ ଟଙ୍କା ଓ ବେଡ଼୍ସିଟ୍ ପିଛା ୩୦୦ଟଙ୍କା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଅଭିଯୋଗ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟର ହଷ୍ଟେଲକୁ ନିମ୍ନମାନର ଗଦା ଓ ବେଡ୍ସିଟ୍ ଯୋଗାଣ କରାଯାଇଛି । ବଜାରରେ ଏହାର ଦର ଖୁବ୍ କମ୍ ରହିଛି । ଏପରିକି ମାନକ ଅପରେଟିଂ ପ୍ରଣାଳୀ ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ (ଇପିଏମ୍) ଓଡିଶାର ଅନୁମୋଦନ ଅନୁଯାୟୀ ଉତ୍ପାଦର ଗୁଣବତ୍ତା, ଡିଜାଇନ୍ ଏବଂ ପରିମାଣକୁ ମଧ୍ୟ ଉଲ୍ଲଂଘନ କରାଯାଇଛି ବୋଲି ଶ୍ରୀ ଠାକୁର ଦାବିପତ୍ର ଲେଖିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବଙ୍କ ଚିଠି ନଂ ୭୩୪୧, ୩୦ ଅଗଷ୍ଟ ୨୦୨୫ ଅନୁଯାୟୀ ସ୍ଥାନୀୟ ଏମ୍ଏସ୍ଇ ଓ ଇପିଏମ୍କୁ ପ୍ରାଧାନ୍ୟ ଦିଆଯିବା ପାଇଁ କୁହାଯାଇଛି । ଏହା ସତ୍ୱେ ମଧ୍ୟ ଜିଲ୍ଲା ବାହାରର ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦିଆଯାଇଛି । ପୁଣି ଆଶ୍ଚର୍ଯ୍ୟର କଥା ହେଲା ଯେ, ତରବରିଆ ଭାବରେ ଆହୁରି ୬ କୋଟି ୫୧ ଲକ୍ଷ ୪୪ ହଜାର ୫୦୭ ଟଙ୍କା ମଞ୍ଜୁର କରିବାକୁ ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ଡେପୁଟି ଡାଇରେକ୍ଟରଙ୍କୁ ଗତ ନଭେମ୍ବର ୨୭ ତାରିଖ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସ୍ୱାକ୍ଷରରେ ଚିଠି କରାଯାଇଛି । ୨୦୨୫-୨୬ ମଧ୍ୟ ୱାର୍କ ଅର୍ଡର ସାର୍ବଜନୀନ କରାନଯାଇ ସ୍କୁଲ ମାନଙ୍କୁ ସପ୍ଲାଏ ଆରମ୍ଭ ହୋଇସାରିଲାଣି । ଏଣୁ ଏହା ପଛରେ ଡିଲ ସହ ଲାଞ୍ଚ କାରବାର ହୋଇଛି ବୋଲି ସନ୍ଦେହ ସୃଷ୍ଟି କରୁଛି । ଏଣୁ ଏକ ଉଚ୍ଚ ସ୍ତରୀୟ ନୀରିକ୍ଷଣ କମିଟି ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠନ କରାଯାଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ସତ ଉନ୍ମୋଚନ ହୋଇପାରିବ ବୋଲି ଶ୍ରୀ ଠାକୁର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ତଦନ୍ତ ନହେବା ପର୍ଯ୍ୟନ୍ତ ଚଳିତ ବର୍ଷର ଟେଣ୍ଡରକୁ ବାତିଲ କରି ନୂତନ ଏସ୍ଓପି କରି ଏମ୍ଏସ୍ଏମ୍ଇ ଜରିଆରେ ମୁକ୍ତ ଟେଣ୍ଡର ଆହ୍ୱାନ କରିବାକୁ ଦାବି ଜଣାଇଛନ୍ତି । ଯଦି ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ ନକରନ୍ତି କିମ୍ବା କୌଣସି ପଦକ୍ଷେପ ଗ୍ରହଣ ନକଲେ ଖୁବ୍ ଶୀଘ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି ।