ଆଦିବାସୀଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଶୁଭାରମ୍ଭ ଓ ଜଙ୍ଗଲ ଜମିପଟ୍ଟା ବଣ୍ଟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଆଦିବାସୀ ଓ ଅନୁସୂଚୀତ ଜନ ଜାତି କମ୍ୟୁନିଟିଙ୍କ ସମସ୍ୟା ସମାଧାନ ପାଇଁ ଏକ ଅଭିଯୋଗ ଶୁଣାଣି ଶିବିରର ଶୁଭାରମ୍ଭ ହୋଇଛି । ଆଜି ପ୍ରଥମ ଅଭିଯୋଗ ଶୁଣାଣିରେ ସମୁଦାୟ ୨୯ ଗୋଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ସେ ସବୁ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବୀରମହାରାଜପୁର ବ୍ଲକ ଅଞ୍ଚଳର ୨୩ ଜଣ ଆଦିବାସୀ ଓ ଅନୁସୂଚିତ ଜନଜାତି ହିତାଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଅର୍ଜୁନ ମାଝୀ, ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ଵାଗତ କୁମାର ପଣ୍ଡା, ସୋନପୁର ତହସିଲଦାରଙ୍କ ସମେତ ସମସ୍ତ ବ୍ଲକର ତହସିଲଦାର ଅତିରିକ୍ତ ତହସିଲଦାର ଓ ରାଜସ୍ୱ ବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି ଯେ, ପ୍ରତି ମାସର ୫ ତାରିଖ ଦିନ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଆଦିବାସୀ ଓ ଅନୁସୂଚୀତ ଜନଜାତି ସମ୍ପ୍ରଦାୟ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.