ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ରୋହିଦାସ ସେବା ସଂଘ ସୁନ୍ଦରଗଡ ଆନୁକୂଲ୍ୟରେ ୩୦/୧୧/୨୦୨୫ ଦିନ ସୁରେନ୍ଦ୍ର ରୋହିଦାସଙ୍କ ସଭାପତିତ୍ୱ ଓ ଯୋଗେନ୍ଦ୍ର ରୋହିଦାସଙ୍କ ସଂପାଦନା କ୍ରମେ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ପର୍ଯ୍ୟଟନ ସ୍ଥଳୀ କନାକୁଣ୍ତ ପଥରଶଯ୍ୟା ପରିସରରେ ଅନୁଷ୍ଠିତ ହୋଈଯାଇଛି । ଏହି ଉତ୍ସବରେ ଏକ ସୁନ୍ଦର ବାର୍ତା ସମାଜକୁ ପ୍ରେରଣ କରାଯାଇଛି । ବନ୍ଧୁ ମିଳନ, ବଣଭୋଜି ସହିତ ଏକ ସ୍ୱତନ୍ତ୍ର ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ରୋହିଦାସ ସମାଜର ବିକାଶ ନିମନ୍ତେ ମହିଳା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଆଗକୁ ମହିଳା ମାନଙ୍କ ସମାଜ ପ୍ରତି ରଣନୀତି କଣ ହେବା ଉଚିତ ଏ ବିଷୟକୁ ନେଇ ସଂଘ କର୍ମକର୍ତା ମାନଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସମାଜର ହିତ ଉଦ୍ଦେଶ୍ୟରେ ମହିଳା ମାନଙ୍କୁ ନେଇ ଏକ କମିଟି ଗଠନ ହୋଇଯାଇଛି । କମିଟିକୁ ଚଳାଇବା ପାଇଁ ସଭାପତି ଭାବରେ ଅନୀତା ରୋହିଦାସ, ଉପସଭାପତି ଲଲିତା ରୋହିଦାସ, ସଂପାଦକ ସୁକାନ୍ତୀ ରୋହିଦାସ, ସହ ସଂପାଦକ ସରୋଜିନୀ ରୋହିଦାସ, କୋଷାଧକ୍ଷ ରଜନୀ ରୋହିଦାସ, ସହ କୋଷାଧ୍ୟକ୍ଷ ଦେବଯାନୀ ରୋହିଦାସ, ଉପଦେଷ୍ଟା ବିଶାଖା ରୋହିଦାସଙ୍କୁ ଚୟନ କରାଯାଇଛି । ବୈଠକରେ ଉପସ୍ଥିତ ଥିବା ସମସ୍ତ ମହିଳା ସଭ୍ୟା ଭାବରେ ରହିବେ ବୋଲି ଗୃହୀତ ହେଲା । ନୂତନ ଭାବରେ ମନୋନୀତ ହୋଇଥିବା କମିଟିକୁ ସଂଘର ଉପସଭାପତି ଡିଗ୍ରିଲାଲ ମେହେର ଓ ସୁକାନ୍ତ ରୋହିଦାସ ସମାଜର ହିତ ଉପଲକ୍ଷେ କାମ କରିବାପାଇଁ ଗୁରୁ ରବିଦାସଙ୍କୁ ସାକ୍ଷୀ ରଖି ଶପଥ ପାଠ କରାଇଥିଲେ । ଏହି ମହିଳା କମିଟି ଦ୍ୱାରା ସମାଜକୁ ଶୁଭ ଫଳପ୍ରଦ ହେବ ବୋଲି ସଂଘ ଆଶାବାଦୀ ଅଛି । ଏହା ପରେ ପରେ ଯୁବ ଛାତ୍ରମାନଙ୍କୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ସଭାକାର୍ଯ୍ୟ ସାରି ବଣଭୋଜିର ମଜା ସହ ପଥର ଶଯ୍ୟାର ମନୋରମ ଦୃଶ୍ୟ ଉପଭୋଗ କରି ଖୁସି ମନରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ ।