
ବରଗଡ଼, (ମୁନ୍ନା ସାହୁ) : ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ, ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ଏବଂ ତହସିଲଦାର ରାମକୃଷ୍ଣ ମିଶ୍ର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୪୬ ଗୋଟି ଅଭିଯୋଗ ମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ, ୧୩ ଗୋଟି ସାମୁହିକ ଅଭିଯୋଗ, ସେଥି ମଧ୍ୟରୁ ୬ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ୨ ଗୋଟି ଅଭିଯୋଗର ତତକ୍ଷଣାତ୍ ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।