ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସଂଚାର ନିଗମ କର୍ଯ୍ୟାଳୟକୁ ପୂର୍ବ ପରି ସ୍ୱୟଂ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା ଓ ପ୍ରତିବାଦ ସଭା ମଧୁବନ ସଂଚାର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମଧୁବନ ଠାରେ ଥିବା ସଂଚାର ନିଗମ କାର୍ଯ୍ୟାଳୟକୁ ଏକ ପ୍ରକାର ସ୍ଥାଣୁ କରିବା ପାଇଁ ଚଞ୍ଚକତା କରି କ୍ଷମତା ଅପସାରଣ କରାଯାଇଥିବାରୁ ଦୃଢ଼ ପ୍ରତିବାଦ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବାରିପଦାର ମଧୁବନ ଠାରେ ଥିବା ସଂଚାର ନିଗମ କର୍ଯ୍ୟାଳୟର ପ୍ରଶାସନିକ କ୍ଷମତା ଠାରୁ ଆରମ୍ଭ କରି ଆର୍ଥିକ କ୍ଷମତାକୁ ବେଆଇନ ଭାବେ ବାଲେଶ୍ୱର ସଂଚାର ନିଗମ କର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିବାରୁ ଏହାର ପ୍ରତିବାଦରେ ମଧୁବନ ସ୍ଥିତ ସଂଚାର ନିଗମ କର୍ଯ୍ୟାଳୟ ସମ୍ମୁଖରେ ବୁଦ୍ଧିଜୀବୀ, ନେତୃମଣ୍ଡଳୀ ଓ ସମବେତ ଜନତା ଏକାଠି ହୋଇ ଧାରଣା ଦେଇଥିଲେ । ଏଥିରେ ବରିଷ୍ଠ ନାଗରିକ ସମିତି ମୟୂରଭଞ୍ଜର ସଭାପତି ଡଃ. ଯୋଗେନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ନାଗରିକ ସମିତି ସଭାପତି ବସନ୍ତ କୁମାର ଦାସ, ରବୀନ୍ଦ୍ର ନାଥ ନାୟକ, ରଘୁନାଥ ପଣ୍ଡା, ସର୍ବେଶ୍ଵର ଭୂୟାଁ, କୁଞ୍ଜବନ ପୃଷ୍ଟି, ଈଶ୍ୱର ଚନ୍ଦ୍ର ଦାସ, ବାରିପଦା ଓକିଲ ସଂଘ ସେକ୍ରେଟାରୀ ବିପ୍ଳବ ବାରିକ, ବଣିକ ସଂଘ ସଂପାଦକ, ସରୋଜ କୁମାର ବୋଷ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଜଗବନ୍ଧୁ ମିଶ୍ର, ରବୀନ୍ଦ୍ର କୁମାର ଗୋସ୍ୱାମୀ, ପୂର୍ବତନ କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସ, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ନଗରପାଳ ଜିତେନ୍ଦ୍ର ମହାନ୍ତି, ସୁନିଲ ନାୟକ, ପ୍ରଭାତ ମହାନ୍ତି, କାଉନସିଲର ପ୍ରଶାନ୍ତ ବେହେରା, ବିକ୍ରମ କେଶରୀ ଜେନାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ସମବେତ ହୋଇ ଦୃଢ଼ ପ୍ରତିବାଦ କରିଥିଲେ । ପ୍ରତିବାଦକାରୀମାନେ ବାରିପଦା ସଂଚାର ନିଗମ କର୍ଯ୍ୟାଳୟକୁ ସଂକୁଚିତ କରିବା ଚକ୍ରାନ୍ତର ଦୃଢ଼ ନିନ୍ଦା କରିବା ସହ ସଂଚାର ନିଗମ କର୍ଯ୍ୟାଳୟର ସ୍ଥିତାବସ୍ଥା ବଜାୟ ରଖି ପୁନଃ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ଦୃଢ ଦାବି କରିଥିଲେ । ବାରିପଦା ସଂଚାର ନିଗମ କର୍ଯ୍ୟାଳୟର କ୍ଷମତାର ରିମୋର୍ଟ କଣ୍ଟ୍ରୋଲ ବାଲେଶ୍ଵର ହାତରେ କାହିଁକି ? ବୋଲି ପ୍ରତିବାଦ କାରୀମାନେ ପ୍ରଶ୍ନ କରିବା ସହ ଏଭଳି ଚଞ୍ଚକତା ବିରୋଧରେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲାର ୭ଟି ଏସ୍ଟି କୋର୍ଡ, ୪୨ଟି ଟେଲିଫୋନ ଏକ୍ସଚେଞ୍ଜ ଏବଂ ୨୮୫ଟି ବିଟିଏସ୍ ଆଧାରରେ ପ୍ରତିଷ୍ଠିତ ଏହି ସଂଚାର ନିଗମ କର୍ଯ୍ୟାଳୟର ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ୨୦୧୪ ମସିହାରୁ ବେଆଇନ ଭାବେ ବାଲେଶ୍ୱର ଜିଲ୍ଲା ସଂଚାର ନିଗମ କର୍ଯ୍ୟାଳୟକୁ ହସ୍ତାନ୍ତର କରିବା ଯୋଗୁଁ ଏହି କର୍ଯ୍ୟାଳୟ ଏକ ପ୍ରକାର ଖୋଳଫା ସଦୃଶ ହୋଇଯାଇଛି । କ୍ଷେତ୍ର ପର୍ଯ୍ୟବେକ୍ଷଣ ଛଡା ଅନ୍ୟ ସମସ୍ତ ପ୍ରଶାସନିକ କ୍ଷମତା ଅପସାରଣ କରି ନିଆ ଯାଇଥିବାରୁ ଦୃଢ଼ ପ୍ରତିବାଦ କରାଯାଇଛି । ପୂର୍ବପରି ଏହି କର୍ଯ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମେତ ଦୂର ସଂଚାର ବିଭାଗର ସମସ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।