ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

  • ଯଦି ସମସ୍ତ ଅଂଶୀଦାରମାନେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିପାରିବେ, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଏହା ଓଡ଼ିଶାର ସର୍ବୋତ୍ତମ ଅବଦାନ ହେବ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
  • ନାଗରିକଙ୍କ ଆଶା ପୂରଣ କରିବା, ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ଜନପ୍ରତିନିଧିମାନଙ୍କର କର୍ତ୍ତବ୍ୟ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବା ସମୟରେ ଗୃହ ସହ ଜଡ଼ିତ ନିଜ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ସେ କହିଥିଲେ, ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଛି । ଏହି ଗୃହରେ ସେ ଜଣେ ବିଧାୟକ ଭାବରେ ପ୍ରଶ୍ନ ପଚାରିଥିଲେ ଏବଂ ଜଣେ ମନ୍ତ୍ରୀ ଭାବରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ରାଷ୍ଟ୍ରପତି କହିଥିଲେ, ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ନିର୍ମାଣରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଭୂମି ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ ହେବାର ସାକ୍ଷୀ ଥିଲା । ସେ ଆହୁରି ମଧ୍ୟ କହିଥିଲେ, ବିଦେଶୀ ଶାସନ ବିରୁଦ୍ଧରେ ଲଢ଼ି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି କହିଥିଲେ, ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ପ୍ରାଚୀନ ପରମ୍ପରା ରହିଛି । ଏହା ଗର୍ବର ବିଷୟ ଯେ ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଏକ ଲମ୍ବା ଇତିହାସ ରହିଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ, ଓଡ଼ିଶାରେ ମହିଳା ପ୍ରତିନିଧିତ୍ୱ ବିନା କୌଣସି ବିଧାନସଭା ହୋଇନାହିଁ । ଓଡ଼ିଶାର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ । ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ବିଧାନସଭା ଅନେକ ଜନ କଲ୍ୟାଣକାରୀ ଆଇନ ପାରିତ କରିଛି । ସପ୍ତଦଶ ବିଧାନସଭା ବହୁତ କମ ସମୟ ମଧ୍ୟରେ ଅନେକ ଫଳପ୍ରଦ ବୈଠକ ସମ୍ପାଦନ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏହି ବିଧାନସଭାରେ ଆଲୋଚନାର ଏକ ସୁସ୍ଥ ପରମ୍ପରା ରହିଛି ବୋଲି ସେ ସୂଚାଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ଓଡ଼ିଶା ଦ୍ରୁତ ପ୍ରଗତି କରୁଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଗୋଷ୍ଠୀର ବିକାଶ, ଗୃହ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଓଡ଼ିଶା ସରକାରଙ୍କ ପ୍ରଶଂସା କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ଏକ ନୂତନ ରୂପ ନେଉଛି ବୋଲି ସେ ଖୁସି ପ୍ରକାଶ କରିଥିଲେ । ରାଷ୍ଟ୍ରପତି କହିଥିଲେ, ପ୍ରକୃତି ଓଡ଼ିଶାକୁ ସମସ୍ତ ପ୍ରକାରର ଦାନ ଦେଇ ଆଶୀର୍ବାଦ କରିଛି । ଏହି ରାଜ୍ୟ ପ୍ରଚୁର ଖଣିଜ ଭଣ୍ଡାର, ଜଙ୍ଗଲ ଏବଂ ଜଳସମ୍ପଦ ସହିତ ମାନବ ସମ୍ବଳରେ ଆଶୀର୍ବାଦପ୍ରାପ୍ତ । ଓଡ଼ିଶାର ପରିବେଶ କୃଷି, ଶିଳ୍ପ ଏବଂ ବାଣିଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଅନୁକୂଳ । ଏହି ସମସ୍ତ ସୁବିଧାର ଉପଯୋଗ କରି ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରାଯାଇପାରିବ । ରାଷ୍ଟ୍ରପତି କହିଥିଲେ, ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରାଯିବ । ଯଦି ସମସ୍ତ ଅଂଶୀଦାରମାନେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିପାରିବେ, ତେବେ ଏହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଓଡ଼ିଶାର ସର୍ବୋତ୍ତମ ଅବଦାନ ହେବ । ସମସ୍ତେ ‘ପ୍ରଥମେ ରାଷ୍ଟ୍ର’ ମନୋଭାବ ସହିତ କାମ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ରାଷ୍ଟ୍ରପତି କହିଥିଲେ, ବିଧାୟକମାନେ ହେଉଛନ୍ତି ଜନପ୍ରତିନିଧି । ଓଡ଼ିଶାର ଲୋକଙ୍କର ସେମାନଙ୍କ ଉପରେ ଅପାର ଆଶା ଓ ବିଶ୍ୱାସ ରହିଛି ଏବଂ ସେମାନେ ସେମାନଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ନାଗରିକଙ୍କ ଆଶା ପୂରଣ କରିବା, ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ସମସ୍ତ ବିଧାୟକଙ୍କ କର୍ତ୍ତବ୍ୟ । ରାଷ୍ଟ୍ରପତି କହିଥିଲେ, ବର୍ତ୍ତମାନ ପ୍ରଯୁକ୍ତିର ଯୁଗ । ଜନପ୍ରତିନିଧି ଭାବରେ, ବିଧାୟକମାନଙ୍କର ଅନେକ ପ୍ରଶଂସକ ଏବଂ ଅନୁଗାମୀ ଅଛନ୍ତି । ସେମାନେ କ’ଣ କୁହନ୍ତି ଏବଂ କ’ଣ କରନ୍ତି ତାହା ଜାଣିବାକୁ ସେମାନେ ଆଗ୍ରହୀ । ସେମାନଙ୍କର ଉଚ୍ଚାରଣ ଓ ଆଚରଣ ଉଭୟ ଅମୂଲ୍ୟ । ବିଧାୟକମାନେ ଗୃହ ଭିତରେ ଏବଂ ବାହାରେ କ’ଣ କୁହନ୍ତି ଏବଂ କିପରି କୁହନ୍ତି, ତାହା ସମସ୍ତଙ୍କୁ ଜଣା । ସେମାନଙ୍କର ଆଚରଣ ଏବଂ ଉଚ୍ଚାରଣ ଏପରି ହେବା ଉଚିତ ଯାହାଦ୍ୱାରା ସେମାନଙ୍କୁ ଅନୁସରଣ କରି ସେମାନଙ୍କ ପ୍ରଶଂସକ ଏବଂ ଅନୁଗାମୀମାନେ ସମାଜ ଓ ରାଜ୍ୟ ଗଠନରେ ସାହାଯ୍ୟ କରିପାରିବେ ବୋଲି ରାଷ୍ଟ୍ରପତି କହିଥିଲେ ।

Leave A Reply

Your email address will not be published.