- ବିଳମ୍ବକୁ ନେଇ ରେଳ ବିଭାଗର ଉଦାସୀନତା ଚିନ୍ତାଜନକ – ହେମନ୍ତ ପଣ୍ଡା
ବଲାଙ୍ଗିର, (କେପିଏନ୍ଏସ୍) : ଇସ୍ପାତ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ କଣ୍ଟାବାଞ୍ଜିରୁ ବାହରି ହାଓଫା ତଥା କୋଲକତାକୁ ପ୍ରତିଦିନ ସେବା ପ୍ରଦାନ କରିଥାଏ । ହଜାର ହଜାର ଯାତ୍ରୀ ଏହି ଟ୍ରେନରେ ନିୟମିତ ଭାବେ ଯିବାଅସିବା କରିଥାନ୍ତି । ଦିନ ଥିଲା ଏହି ଟ୍ରେନ ସମୟାନୁବର୍ତ୍ତିତା ପାଇଁ ରେଳଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଥିଲା । ଟିଟିଲାଗଡ, ବଲାଙ୍ଗିର, ବରପାଲି, ବରଗଡ, ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ରାଉରକେଲା ଇତ୍ୟାଦି ପଶ୍ଚିମ ଓଡିଶାର ପ୍ରମୁଖ ସହରମାନଙ୍କୁ ପ୍ରତ୍ୟହ ସମୟାନୁସାରେ ସଂଯୋଗ ସ୍ଥାପନ କରିବା ସହ କୋଲକତା ସହ ସଂଯୋଗ ସ୍ଥାପନ କରୁଥିଲା କିନ୍ତୁ ଏହି ସମୟାନୁବର୍ତ୍ତିତା ବତର୍ତ୍ତମାନ ଇତିହାସ ହୋଇଯାଇଛି । ପ୍ରାୟ ଦୁଇ ବର୍ଷ ହେବ ଏହି ଟ୍ରେନ ନିୟମିତ ଭାବରେ ବିଳମ୍ବରେ ଚଳାଚଳ କରୁଛି । ସମଗ୍ର ପଶ୍ଚିମ ଓଡିଶାରେ ଏହାକୁ ନେଇ ସୋସିଆଲ ମଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ବିଳମ୍ବ ଜନିତ କାରଣ ଜାଣିବା ପାଇଁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ପୂର୍ବତଟ ରେଲେୱେକୁ ତଥ୍ୟ ଦେବା ପାଇଁ ଅନୁରୋଧ କରିଥିଲେ । ଦୈନିକ କେତେ ବିଳମ୍ବ ଓ ବିଳମ୍ବର କାରଣକୁ ନେଇ ତଥ୍ୟ ପ୍ରଦାନ କରିବାକୁ ପୂର୍ବତଟ ରେଳ ଟାଳଟୁଳ ନିୀତିକୁ ଆଦରି ଏହି ତଥ୍ୟକୁ ସଂକଳିତ ଭାବେ ରଖାଯାଇ ନଥିବା ଉଲ୍ଲେଖ କରିଛି । ଯାତ୍ରା ପାଇଁ ରିଜର୍ଭେସନ କରିଥିବା ଯାତ୍ରୀଙ୍କ ଠାରୁ ସୁପରଫାଷ୍ଟର ସରଚାର୍ଜ ବାବଦକୁ ଗତ ୬ ମାସରେ ତଥା ୧/୫/୨୦୨୫ ରୁ ୩୧/୧୦/୨୦୨୫ ପର୍ଯ୍ୟନ୍ତ ଟିଟିଲାଗଡ-ହାଓଡା ୧୨୮୭୨ନଂ ଟ୍ରେନରୁ ୨୨ ଲକ୍ଷ ୮୧ ହଜାର ଟଙ୍କା ଓ କଣ୍ଟାବାଞ୍ଜି- ହାଓଡା ୨୨୮୬୨ନଂ ଟ୍ରେନରୁ ୨୬ ଲକ୍ଷ ୬୫ ହଜାର ଟଙ୍କା ଆଦାୟ କରାଯାଇଥିବା ତଥ୍ୟ ଇଷ୍ଟକୋଷ୍ଟ ରେଲେୱେର ସମ୍ବଲପୁର ଜନ ସୂଚନା ଅଧିକାରୀ ପୋନା ଭେଙ୍କଟେଶ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏହି ତଥ୍ୟରୁ ଜଣାପଡିଛି ଯେ, ଇସ୍ପାତ ଏକ୍ସପ୍ରେସରେ ଯାତ୍ରା କରିଥିବା ରେଳ ଯାତ୍ରୀଙ୍କ ଠାରୁ ଗତ ୬ ମାସରେ କେବଳ ସୁପରଫାଷ୍ଟ ସରଚାର୍ଜ ବାବଦକୁ ୪୯ ଲକ୍ଷ ୪୬ ହଜାର ଟଙ୍କା ରେଳ ବିଭାଗ ନେଇଛି । ଅର୍ଥାତ୍ ଦୈନିକ ପ୍ରାୟ ୨୮ ହଜାର ଟଙ୍କା ସୁପରଫାଷ୍ଟ ସରଚାର୍ଜ ବାବଦକୁ ରେଳ ବିଭାଗ ନେଉଥିଲେ ମଧ୍ୟ ଏହି ଟ୍ରେନ ଆଉ ସୁପରଫାଷ୍ଟ ସେବା ଦେଉ ନଥିବା ଶ୍ରୀ ପଣ୍ଡା କହିଛନ୍ତି । ଏହି ଟ୍ରେନ ଦରରେ ସୁପରଫାଷ୍ଟ କିନ୍ତୁ ଗତିରେ ମନ୍ଥର ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଇସ୍ପାତ ଏକ୍ସପ୍ରେସରେ ଯାତ୍ରୀଙ୍କ ଠାରୁ ସୁପରଫାଷ୍ଟ ସରଚାର୍ଜ ନିଆଯାଇ ଯାତ୍ରୀଙ୍କୁ ଶୋଷଣ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଳମ୍ବ ଜନିତ କାରଣକୁ ଦୂର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ରେଳ ବିଭାଗ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଦାନ ନକରି ନିରବ ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଳମ୍ବ ଜନିତ କାରଣକୁ ଦୂର କରିବା ପାଇଁ ରେଳ ବିଭାଗର ଉଦାସୀନତା ଅତ୍ୟନ୍ତ ଚିନ୍ତାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଦିଗରରେ ପଦକ୍ଷେପ ନେବାକୁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।