- ଭ୍ରମାତ୍ମକ ଖବର ପ୍ରସାରଣ ଯୋଗ ବିଶ୍ୱାସନୀୟତା ହରାଉଛି ସାମାଜିକ ଗଣମାଧ୍ୟମ
ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ପରିସରରେ ମିଡ଼ିଆ କନକ୍ଳେଭ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଡ଼ିଏଫଓ ଯଶବନ୍ତ ସେଠି, ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, କବି, ସାହିତ୍ୟିକ ଓ ନାଟ୍ୟ ନିର୍ଦେଶକ ରାଜୀବ ପାଣି ବାରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମିଡ଼ିଆ କ୍ଲବର ସଭାପତି ତଥା ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼. ପୀତବାସ ମିଶ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏନ.ଏଫ. ଟାଇମସ୍ର ସମ୍ପାଦିକା ଶ୍ରୀମତୀ ରୀତା ମିଶ୍ର, ଉପସଭାପତି ନିରଞ୍ଜନ ଦାସ, ସତ୍ୟାନନ୍ଦ ବେହେରା, ସୁବାଷ ବର୍ମା, ଉପଦେଷ୍ଟା ବୈଦ୍ୟନାଥ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ । ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ । ଅତିଥିମାନେ ବିଭିନ୍ନ ଦିଗରୁ ଆଲୋଚନା କରି କହିଲେ ଯେ, ପ୍ରିଣ୍ଟ ଓ ଇଲେକ୍ରୋନିକ୍ସ ମିଡ଼ିଆ ସହ ସୋସିଆଲ ମିଡ଼ିଆ ସମ୍ପ୍ରତି ଲୋକପ୍ରିୟତା ହାସଲ କରୁଛି । ମାତ୍ର ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ମିଥ୍ୟା ତଥା ଭ୍ରମାତ୍ମକ ଖବର ପ୍ରସାରଣ ଦ୍ୱାରା ବିଶ୍ୱାସନୀୟତା ହରାଉଛି । ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଗଣମାଧ୍ୟମ କ୍ଷଣିକ ମଧରେ ବିଭିନ୍ନ ସୂଚନା ସର୍ବ ସାଧାରଣରେ ପହଁଞ୍ଚାଇ ପାରୁଛି । କୌଣସି ଘଟଣାବଳି ହେଉ କିମ୍ବା ସରକାରଙ୍କ ଯୋଜନା, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛି । ଜନସାଧାରଣ ଓ ସରକାରଙ୍କ ମଧରେ ସେତୁର ଭୁମିକା ନିର୍ବାହ କରୁଛି ଗଣମାଧ୍ୟମ ବୋଲି ଅତିଥିମାନେ କହିଥିଲେ । ସ୍ତମ୍ଭକାର ନଳିନୀକାନ୍ତ ଧର, ବିରେନ ସେନାପତି, ମିନତୀ ଦେବତା, ଗଙ୍ଗାଧର ଦାଶ ପ୍ରମୁଖ ଆଲୋଚ୍ୟ ବିଷୟ ‘ ସୋସିଆଲ ମିଡ଼ିଆ ଓ ଡିଜିଟାଲ ସଂସ୍କୃତି ‘ ଉପରେ ମଧ୍ୟ ଆଲୋଚନା କରିଥିଲେ । ଅତିଥିମାନେ କ୍ଲବର ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଏଥିସହ ଡ଼. ପୀତବାସ ମିଶ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ‘ନିକିତି ତଉଲରେ ମୋହନ ସରକାର’କୁ ମଧ୍ୟ ଉନ୍ମୋଚନ କରିଥିଲେ । ସାହିତ୍ୟିକ ରାଜୀବ ପାଣି ଏହି ପୁସ୍ତକର ସମୀକ୍ଷା କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ଉମାକାନ୍ତ ପଣ୍ଡା, ଅଗ୍ନିବାବା, ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିବେକାନନ୍ଦ ଦାସ ଓ ସ୍ଵାଗତିକା ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏଥିରେ ବହୁ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।