ଆବାସ ଘର ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ଝରାପଡ଼ାବାସୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ପଞ୍ଚାୟତର ତୁଲୁଣ୍ଡୁପାଲି ଝରାପଡାର ୨୪ ଗୋଟି ଭୂମିହୀନ ଆଦିବାସୀ ପରିବାର ସକାଳୁ ସେମାନେ ତାଙ୍କ ଗାଁରୁ ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ରହିବା ପାଇଁ ଜମି ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରି ଗୁହାରି କରିଥିଲେ । ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମଧ୍ୟ ଖୁବ୍ ଶୀଘ୍ର ଏହି ଗାଁକୁ ପରିଦର୍ଶନ କରିବାକୁ ଓ ସବୁ ସମସ୍ୟାର ସମାଧାନ ପାଇଁ ନିରୀହ ଗରିବ ଆଦିବାସୀ ପରିବାରଙ୍କୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆଶ୍ୱସ୍ତି ଅନୁଭବ କରି ଘରକୁ ଫେରିଥିବା ଦେଖାଯାଇଥିଲା । ପ୍ରକାଶ ଥାଉ କି ଯେ, ବିଗତ ୨୦୨୨/୨୩ରେ ଏହି ଗାଁ ବସ୍ତି ଲୋକେ ସାମାନ୍ୟ ତମ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବିଷୟ ଯଥା : ପିଇବା ପାଣି, ବିଜୁଳି ଓ ବର୍ଷାରେ ମାଟି ଘରେ ରହିବାକୁ ପଲିଥିନ ଟିକେ ବି ପାଇ ପାରୁ ନଥିଲେ । ପାଖ ଶୁଖିଲା ପଖୋରୀରେ ଗାତ ଖୋଳି ଗାଧୋଇବା ଓ ପିଇବାକୁ ଅପରିଷ୍କାର ପାଣି ବ୍ୟବହାର କରୁଥିବା ଖବରର ଏକ ବାସ୍ତବ ଚିତ୍ର ଯେତେବେଳେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖାକୁ ପହଞ୍ଚିଥିଲା ତୁରନ୍ତ ସେହି ଗାଁକୁ ସଂଘର କର୍ମକର୍ତ୍ତା ପହଞ୍ଚି ସ୍ପଟରୁ ତତ୍କାଳୀନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ସବୁ ସମସ୍ୟା ଜଣାଇଥିଲେ । ଶ୍ରୀ ରାୟ ସେହିଦିନ ହିଁ ସନ୍ଧ୍ୟାରେ ବିନିକା ବିଡ଼ିଓ, ତହସିଲଦାରଙ୍କୁ ପଠାଇ ବର୍ଷାରୁ ରକ୍ଷା ପାଇଁ ପ୍ରଥମେ ପଲିଥିନ ଯୋଗାଇଥିଲେ । ପରେ ଜିଲ୍ଲାପାଳ ଶ୍ରୀ ରାୟ ନିଜେ ଏହି ଗାଁକୁ ପହଞ୍ଚି ବେସାହାରା ଆଦିବାସୀ ପରିବାର ଲୋକଙ୍କ ଦୁଃଖ କଷ୍ଟକୁ ଅନୁଭବ କରି ତାଙ୍କ ପାଇଁ ପିଇବା ପାଣି ଓ ବିଜୁଳିର ବ୍ୟବସ୍ଥା କରିଥିଲେ । । ରହିବା ପାଇଁ ଜମିପଟ୍ଟା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଦୁଇ ତିନି ବର୍ଷ ଯାଏଁ ଏମାନେ ଜମି ଟିକେ କିମ୍ୱା ଆବାସ ଗୃହ ଟିକେ ପାଇ ନ ଥିବା ଆଜି ନଜରକୁ ଆସିଛି । ଏଠି ପ୍ରଶ୍ନ ଉଠେ ଯେ ଦେଶ ସ୍ଵାଧୀନତାର ୭୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ସାମାନ୍ୟ ତମ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଉଦବେଗ ଜନକ ବିଷୟ ଅଟେ । ତେଣୁ ଖୁବ୍ ଶୀଘ୍ର ଏହି ନିରୀହ ଝରା ପରିବାର ଲୋକଙ୍କୁ ବସୁନ୍ଧରା ଯୋଜନାରେ ଆବାସ ଗୃହ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply

Your email address will not be published.