କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି । ଏ ସମ୍ପର୍କରେ ବିଧାୟକ ଶ୍ରୀ ଦାସ ତାଙ୍କ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହ ସାଗର ରାଜ୍ୟରେ ଯଦି ଜଣେ ନିର୍ବାଚିତ ବିଧାୟକ ସୁରକ୍ଷିତ ନୁହନ୍ତି ତାହେଲେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି । ସୂଚନାନୁଯାୟୀ ଭବାନୀପାଟଣା ଦେପୁର ଜୋନ ସଭାପତି ଦେବାନନ୍ଦ ଯୋଶୀଙ୍କୁ ଗୁରୁବାର ଚାରିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବିଧାୟକ ସାଗର ଚରଣ ଦାସଙ୍କ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ । ତଥ୍ୟ ପ୍ରଦାନ ନକଲେ ଜୀବନରେ ମାରିବାକୁ ମଧ୍ୟ ପଛାଇବୁ ନାହିଁ ଏପରିକି ବିଧାୟକଙ୍କୁ ମଧ୍ୟ ଜୀବନରେ ମାରିଦେବୁ ବୋଲି ଦେବାନନ୍ଦଙ୍କ ମାଧ୍ୟମରେ ଧମକ ଦେଇଥିବା ସମ୍ପର୍କରେ ଦେବାନନ୍ଦ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱ ପ୍ରଦାନ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏହି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଧମକ ଦିଆଯାଇଥିବା ବିଧାୟକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।