ତୁମୁଡିବନ୍ଧରେ ବୁଲିଲା ବୁଲ ଡୋଜର : ସରକାରୀ ଜମି ଜବରଦଖଲ ଅଭିଯୋଗରେ ୬ଟି ଘର ଭାଙ୍ଗିଲା ପ୍ରଶାସନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟରେ ନୂତନ ସରକାର ଗଠନ ପରେ ସମଗ୍ର ଓଡିଶାରେ ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ କଡା ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ୱରେ ସରକାରୀ ଜମି ଜବରଦଖଲ କରିଥିବା ଜବରଦଖଲକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ତୁମୁଡିବନ୍ଧ ବ୍ଲକର ଆମ୍ବେଦକର ଛକ ନିକଟରେ ୫୯ ନଂ. ଜାତୀୟ ରାଜପଥକୁ ଲାଗି ରହିଥିବା ୬ଟି ମାଟି ଘରକୁ ଉଚ୍ଛେଦ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଅଞ୍ଚଳରେ ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ଓ ଗ୍ରାମର ଉନ୍ନତି କରଣ ନିମନ୍ତେ ଦମକଳ ବାହିନୀ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଉକ୍ତ ୬ଟି ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗିଦିଆଯାଇଛି । ଏହି ଅଞ୍ଚଳରେ ତୃତୀୟ ଥର ପାଇଁ ବୁଲଡୋଜର ଚାଲୁଥିବା ଦେଖି ଜବରଦଖଲକାରୀଙ୍କ ମନରେ ଛନକା ପଶିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏକାଧିକ ଜବର ଦଖଲ କରି ରହିଥିବା ଘର ଗୁଡିକୁ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏଭଳି ଉତ୍ତମ କାର୍ଯ୍ୟ ପାଇଁ ତୁମୁଡିବନ୍ଧ ଅଞ୍ଚଳବାସୀ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.