ବଲାଙ୍ଗିର, (କେପିଏନ୍ଏସ୍) : ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ବଲାଙ୍ଗିର ଜିଲ୍ଲାର ଜନଜାତୀୟ ଗୌରବ ଦିବସ ଭିମଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟୋରିୟମଠାରେ ଅନୁଷ୍ଠିତ ହେଉଛି । ଧରତୀ ଆବା ଭଗବାନ ବିର୍ସାମୁଣ୍ଡାଙ୍କ ନାମରେ ଭାରତ ସରକାର ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଆରମ୍ଭ କରିଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରେ ୧୪ଟି ବ୍ଲକର ୨୫୮ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ୨୫୮ ଗ୍ରାମ ମଧ୍ୟରୁ ୨୫୬ଟି ଜନଜାତି ବହୁଳ ଗ୍ରାମର ଗ୍ରାମୀଣ ଜନଭାଗି ଦ୍ଵାରା ଆଦି କର୍ମଯୋଗୀ ଯୋଜନା ମାଧ୍ୟମରେ ଗ୍ରାମର ପ୍ରତ୍ୟେକ ପଡା ପରିଭ୍ରମଣ କରି ସାମାଜିକ ଓ ଭିତ୍ତିଭୂମି ମାନଚିତ୍ର ପ୍ରସ୍ତୁତ କରାଯାଇଅଛି । ଗ୍ରାମର ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ, ଆଦିସାଥି, ଆଦି ସହଯୋଗୀ ଓ ଆଦି କର୍ମଯୋଗୀଙ୍କ ଉପସ୍ଥିତିରେ ଧ୍ୟାନଗତ ଗୋଷ୍ଠୀ ଆଲୋଚନା ମାଧ୍ୟମରେ ୨୦୩୦ ମସିହା ପାଇଁ ଗ୍ରାମର ଭିଜନ ପ୍ଲାନ ପ୍ରସ୍ତୁତି କରାଯାଇଛି । ପୁଇଁନ୍ତଳା ବ୍ଲକର ଭାଲେର ଗ୍ରାମ ଓ ଗୁଡଭେଲା ବ୍ଲକର ଋଷୁଡା ଗ୍ରାମର ଭିଜନ ପ୍ଲାନ ଷ୍ଟଲରେ ପ୍ରଦର୍ଶିତ ହେଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଦେବକୀ ସାହୁ, ସମ୍ମାନିତ ଅତିଥି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡ, ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଜନ ଜାତୀୟ ନେତା ଚିତ୍ରସେନ ଭୋଇ ଯୋଗ ଦେଇଥିବାବେଳେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।